Categories: ଜାତୀୟ

ହର୍ନ ବଦଳରେ ଲଗାଇ ହେବ ମ୍ୟୁଜିକାଲ ଟ୍ୟୁନ

ନୂଆଦିଲ୍ଲୀ,୫।୧୦: ନିକଟ ଭବିଷ୍ୟତରେ ଟ୍ରାଫିକ୍‌ ଜାମରେ ଗାଡ଼ିର ହର୍ନ ବଦଳରେ ଶୁଣିବାକୁ ମିଳିପାରେ ସୁମଧୁର ଭାରତୀୟ ମ୍ୟୁଜିକାଲ ଇନ୍‌ଷ୍ଟ୍ରୁମେଣ୍ଟର ଟ୍ୟୁନ। ଏ ନେଇ ସଙ୍କେତ ଦେଇଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ହାଇଓ୍ବେ ମନ୍ତ୍ରୀ ନୀତିନ ଗଡକରି।

ନିକଟରେ ନାଶିକଠାରେ ଏକ ହାଇଓ୍ବେର ଉଦ୍‌ଘାଟନ ଉତ୍ସବରେ ଯୋଗଦେଇ ଗଡକରି କହିଥିଲେ, ସମସ୍ତ ଗାଡ଼ିରେ ହର୍ନ ଭାବେ ଭାରତୀୟ ବାଦ୍ୟଯନ୍ତ୍ରର ଶବ୍ଦ ବ୍ୟହାର କରିବା ଦିଗରେ ଯୋଜନା କରୁଛୁ, ଯାହାକି ଟ୍ରାଫିକରେ ଗାଡ଼ି ଚାଳକଙ୍କୁ ଶୁଣିବାକୁ ଭଲ ଲାଗିବ। ଫ୍ଲ୍ୟୁଟ, ତାବଲା, ଭାଓଲିନ, ହାରମୋନିୟମ ଭଳି ଭାରତୀୟ ବାଦ୍ୟଯନ୍ତ୍ରର ଶବ୍ଦ ଶୁଣିବାକୁ ମିଳିବ। ଆମ୍ବୁଲାନ୍ସ ଓ ପୋଲିସ ଗାଡ଼ିରେ ବ୍ୟବହୃତ ହେଉଥିବା ସାଇରନ ଉପରେ ମୁଁ ଅଧ୍ୟୟନ କରୁଛି। ସାଇରନ ବଦଳରେ ସକାଳୁ ସକାଳୁ ଆକାଶବାଣୀ (ଅଲ୍‌ ଇଣ୍ଡିଆ ରେଡିଓ)ରେ ଶୁଣିବାକୁ ମିଳୁଥିବା ସଂଗୀତ ବ୍ୟବହାର କରାଯିବାକୁ ବିଚାର କରାଯାଉଛି। ବର୍ତ୍ତମାନ ବ୍ୟବହୃତ ସାଇରନ ବିରକ୍ତକର। ମୁଖ୍ୟ କଥା ହେଲା ମନ୍ତ୍ରୀଙ୍କ ଗସ୍ତ ବେଳେ ସାଇରନ୍‌କୁ ଫୁଲ ସାଉଣ୍ଡରେ ବଜାଯାଏ। ଏହା କାନ ପାଇଁ କ୍ଷତିକାରକ।

ଉଲ୍ଲେଖଯୋଗ୍ୟ, ବିଶ୍ୱର ପ୍ରାୟ ସମସ୍ତ ଦେଶରେ ଜରୁରୀକାଳିନ ଗାଡ଼ିରେ ସାଇରନ୍‌ ବ୍ୟବହାର କରାଯାଏ। ଯାହା ଫଳରେ ଉପସ୍ଥିତ ଲୋକଙ୍କୁ ସଚେତନ କରାଯାଇପାରିବ। ରାସ୍ତାରେ ଆମ୍ବୁଲାନ୍ସର ସାଇରନର ଅର୍ଥ ରୋଗୀଙ୍କ ଜୀବନ ପ୍ରତି ବିପଦ ଅଛି ଏବଂ ତାଙ୍କୁ ତୁରନ୍ତ ଚିକିତ୍ସା ଆବଶ୍ୟକ। ଏଣୁ ଅନ୍ୟ ଗାଡ଼ି ଚାଳକମାନେ ସାଇରନ୍‌ ଶୁଣି ଆମ୍ବାୁଲାନ୍ସକୁ ରାସ୍ତା ଦେବେ।

Share