Categories: ଖେଳ

ହକି ଇଣ୍ଡିଆ ଲିଗ୍‌ର ପୁନରୁଦ୍ଧାର ପାଇଁ ଯୋଜନା

ନୂଆଦିଲ୍ଲୀ, ୧୧।୪(ପି.ଟି.): ଆସନ୍ତା ବର୍ଷ ପ୍ରାରମ୍ଭରେ ପୁଣି ଆୟୋଜନ ହୋଇପାରେ ହକି ଇଣ୍ଡିଆ ଲିଗ୍‌(ଏଚ୍‌ଆଇଏଲ୍‌)। ଖେଳର ଜାତୀୟ ମହାସଂଘ ହକି ଇଣ୍ଡିଆ(ଏଚ୍‌ଆଇ) ସୋମବାର ଇଭେଣ୍ଟ ପାଇଁ ଏହାର ପ୍ରମୁଖ କମର୍ସିଆଲ ଓ ମାର୍କେଟିଂ ପାର୍ଟନରର ନାମ ଘୋଷଣା କରିଛି। ଆର୍ଥିକ ପ୍ରସଙ୍ଗକୁ ନେଇ ୨୦୧୭ ସଂସ୍କରଣ ପରେ ଏଚ୍‌ଆଇଏଲ୍‌କୁ ବନ୍ଦ ରଖାଯାଇଥିଲା। ଲିଗ୍‌ର ପୁନଃ ଆରମ୍ଭ ପାଇଁ ହକି ଇଣ୍ଡିଆ ବର୍ତ୍ତମାନ ନୂଆ ପାର୍ଟନର ସନ୍ଧାନରେ ଅଛି। ଆମେ ଏଚ୍‌ଆଇଏଲ୍‌କୁ ଯଥାଶୀଘ୍ର ଆରମ୍ଭ କରିବା ଲାଗି ଚାହୁଁଥିଲୁ। ଆସନ୍ତା ଫେବୃୟାରୀ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ହକି ମହାସଂଘ(ଏଫ୍‌ଆଇଏଚ୍‌)ର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ରହିଛି ବୋଲି ହକି ଇଣ୍ଡିଆର ଜଣେ କର୍ମକର୍ତ୍ତା ପ୍ରକାଶ କରିଛନ୍ତି। ଏହା ଫଳରେ ଯୋଜନା କାର୍ଯ୍ୟକାରୀ କରିବା ଲାଗି ଆମକୁ ଯଥେଷ୍ଟ ସମୟ ମିଳିବ। ହକି ଇଣ୍ଡିଆ ସୋମବାର ବିଗ୍‌ ବ୍ୟାଙ୍ଗ୍‌ ମିଡିଆ ଭେଞ୍ଚର୍ସ ପ୍ରାଇଭେଟ ଲିମିଟେଡ୍‌କୁ ଏହାର ପ୍ରମୁଖ କମର୍ସିଆଲ ଓ ମାର୍କେଟିଂ ପାର୍ଟନର ଏଜେନ୍ସି ବୋଲି ଘୋଷଣା କରିଛି। ହକି ଇଣ୍ଡିଆ ଲିଗ୍‌ର ପୁନଃ ଆରମ୍ଭ କ୍ଷେତ୍ରରେ ଏହା ହେଉଛି ଏକ ବଡ଼ ପଦକ୍ଷେପ। ଏହି ପରିପ୍ରେକ୍ଷୀରେ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ କହିଛନ୍ତି, ମୁଁ ଆଜି ବହୁତ ଖୁସି। କାରଣ ମୁଁ ଯେତେବେଳେ ହକି ଇଣ୍ଡିଆ ସଭାପତି ଭାବେ କାର୍ଯ୍ୟଭାର ଗ୍ରହଣ କଲି ସେତେବେଳେ ହକି ଇଣ୍ଡିଆ ଲିଗ୍‌ ମୋର ପ୍ରାଥମିକତା ଥିଲା। ଭାରତ ପାଇଁ ଏହା ହେଉଛି ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ। ଏହା ଖୁସିର ବିଷୟ ଯେ ହକି ଇଣ୍ଡିଆ ଲିଗ୍‌ର ଏକ ନୂତନ ଯୁଗ ଆରମ୍ଭ ହେବାକୁ ଯାଉଛି। ଏହା କେବଳ ଭାରତରେ ହକି ନୁହେଁ, ବରଂ ବିଶ୍ୱବ୍ୟାପୀ କ୍ରୀଡ଼ାକୁ ପୁନର୍ଜିୀବିତ କରିବ।

Share