Categories: ବାଣିଜ୍ୟ

ଏପ୍ରିଲ ପହିଲାରୁ ଶ୍ରମ କୋଡ୍‌ ଲାଗୁ କରିବାକୁ ଯୋଜନା

ନୂଆଦିଲ୍ଲୀ: ଏପ୍ରିଲ ପହିଲାରୁ ସାରା ଦେଶରେ ନୂଆ ଶ୍ରମ କୋଡ୍‌ ଲାଗୁ କରାଇବା ଲାଗି ଯୋଜନା ରଖିଛନ୍ତି। ଏ ନେଇ ବର୍ତ୍ତମାନ ବିଭିନ୍ନ କାର୍ଯ୍ୟଧାରା ଜାରି ହୋଇଛି। ବିଭିନ୍ନ କାର୍ଯ୍ୟକ୍ରମକୁ ଚଳିତ ଆର୍ଥତ୍କ ବର୍ଷ ଶେଷ ସୁଦ୍ଧା ସାରିବାକୁ ଯୋଜନା ରଖାଯାଇଛି ବୋଲି କେନ୍ଦ୍ର ଶ୍ରମ ଏବଂ ନିୟୋଜନ ସଚିବ ଅପୂର୍ବ ଚନ୍ଦ୍ର ସୂଚନା ଦେଇଛନ୍ତି। ନୂଆ ଶ୍ରମ ଆଇନରେ ଶିଳ୍ପଗୁଡିକ କର୍ତ୍ତୃପକ୍ଷଙ୍କୁ ସିଙ୍ଗଲ ରିଟର୍ନ ଫାଇଲ କରିବେ। ଏ ଦିଗରେ ରାଜ୍ୟଗୁଡିକ ସେମାନଙ୍କ ନିୟମ ୨୦୨୧ ମାର୍ଚ୍ଚ ସୁଦ୍ଧା ପ୍ରଣୟନ କରିବେ। ଅଧିକାଂଶ ସଂସ୍ଥା ରାଜ୍ୟ ସ୍ତରରେ କାମ କରୁଥିବାରୁ ଏ କ୍ଷେତ୍ରରେ ରାଜ୍ୟର ବେଶି ପ୍ରଭାବ ରହିବ। ସେହିଭଳି କୋଇଲ, ଖଣି, ବ୍ୟାଙ୍କିଙ୍ଗ୍‌, ବେସାମରିକ ବିମାନ ଚଳାଚଳ ଭଳି କ୍ଷେତ୍ରଗୁଡିକ ଲାଗି ଶ୍ରମ ଆଇନ ଚଳିତ ବର୍ଷ ନଭେମ୍ବର ସୁଦ୍ଧା ପ୍ରଣୟନ ହେବ ବୋଲି ସୂଚନା ରହିଛି। ଏହା ଉପରେ ମତାମତ ପ୍ରଦାନ କରିବା ଲାଗି ୪୫ ଦିନର ସମୟ ପ୍ରଦାନ କରାଯିବ। ନୂଆ କୋଡ୍‌କୁ ଯେଭଳି ଠିକ୍‌ ସମୟରେ କାର୍ଯ୍ୟକାରୀ କରାଯାଇପାରିବ ସେ ଦିଗରେ କେନ୍ଦ୍ର ସରକାର ତତ୍ପରତା ଦେଖାଇଛନ୍ତି। ଏ ନେଇ ଶ୍ରମ ସଚିବ ପ୍ରତି ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଥିବା ଜଣାପଡିଛି। ୨୯ ଶ୍ରମ ଆଇନକୁ ୪ଟି କୋଡରେ ରୂପାନ୍ତରିତ କରାଯାଇଛି।

Share