ପେସା ତାଙ୍କର ଶିକ୍ଷକତା କିନ୍ତୁ ନିଶା ବୃକ୍ଷ ରୋପଣ। ପ୍ରାକୃତିକ ପରିବେଶରେ କିପରି ବିଭିନ୍ନ ବୃକ୍ଷଲତାର ସୁରକ୍ଷା ହୋଇପାରିବ ସେଥିପାଇଁ ସେ ପ୍ରୟାସ କରିଛନ୍ତି। ଏଥିଲାଗି ୨୦୧୧ ମସିହାରୁ ସକ୍ରିୟଭାବେ ସେ ବୃକ୍ଷ ରୋପଣ କାର୍ଯ୍ୟ ଜାରି ରଖିଛନ୍ତିି । ବିଭିନ୍ନ ସ୍ଥାନରେ ନାନା ପ୍ରକାର ବୃକ୍ଷଲତା ଲଗାଇଛନ୍ତି। ସେ ହେଲେ ଲକ୍ଷ୍ମୀଧର ପ୍ରଧାନ। ଜଣେ ଅବସରପ୍ରାପ୍ତ ଶିକ୍ଷାବିତ୍ । ସେ କୁହନ୍ତି, ମୋ ବାପା ହାଲୁରୀ ପ୍ରଧାନ ଥିଲେ ଜଣେ ସ୍ବାଧୀନତା ସଂଗ୍ରାମୀ, ମା’ ସୁନ୍ଦରୀ ପ୍ରଧାନ ଜଣେ ସାଧାରଣ ଗୃହିଣୀ । ଆମ ଘର ନୟାଗଡ଼ ଜିଲାର ଗୋପାଳପୁରରେ। ସେହିଠାରେ ହିଁ ମୋର ପ୍ରାଥମିକ ଶିକ୍ଷା ଆରମ୍ଭ ହୁଏ। ଏହାପରେ ଭୀମଭୋଇ ହାଇସ୍କୁଲ ଭୁବନେଶ୍ୱର ଏବଂ ରାଜଧାନୀ କଲେଜ ଓ ବାଣୀବିହାରରେ ରାଜନୀତିବିଜ୍ଞାନରେ ସ୍ନାତକୋତ୍ତର ପଢ଼ିଥିଲି। ସମୟକ୍ରମେ ୧୯୮୭ରେ ଶିଶୁ ଅନନ୍ତ ମହାବିଦ୍ୟାଳୟରେ ବିଜ୍ଞାନ ଅଧ୍ୟାପକ ଭାବେ ଯୋଗଦେଲି। ୧୯୯୯ରେ ରାମଚଣ୍ଡୀ ମହାବିଦ୍ୟାଳୟ, ୨୦୦୧ରେ ବେଗୁନିଆ ମହାବିଦ୍ୟାଳୟ ଏବଂ ୨୦୧୧ରେ ପ୍ରତାପ ଶାସନ ମହାବିଦ୍ୟାଳୟରେ ଥିଲାବେଳେ ଏଠାରେ ଥିବା ପ୍ରାୟ ୧୦ ଏକର ଅଞ୍ଚଳରେ ଗଛ ଲଗାଇବା ପାଇଁ ମନସ୍ଥ କରିଥିଲି। ପରେ ଏହି କଲେଜ ପରିଚାଳନା କମିଟିର ସହଯୋଗରେ ଏହାର ପରିସରରେ ପ୍ରାୟ ୫ ହଜାର ବିଭିନ୍ନ ଗଛର ଚାରା ଲଗାଇଥିଲୁ। ପିଲାଟିଦିନରୁ ବାପା ଓ ଭାଇଙ୍କ ଦ୍ୱାରା ଏପରି କାର୍ଯ୍ୟ ପ୍ରତି ଅନୁପ୍ରାଣିତ ହୋଇଥିଲି। ୨୦୧୪ରୁ ୨୦୧୮ ଯାଏ କଲେଜର ଅଧ୍ୟକ୍ଷ ଦାୟିତ୍ୱରେ ରହିଥିଲି। ସେତେବେଳେ ଉପଜିଲାପାଳ ଦେବବ୍ରତ ସାହୁଙ୍କ ସହଯୋଗରେ ପ୍ରାୟ ୧୮ଲକ୍ଷ ଟଙ୍କା ବ୍ୟୟରେ ଏଠାରେ ଏକ ପାଚେରି ନିର୍ମାଣ କରାଯାଇଥିଲା, ଯାହା ଏହି ପରିସରରେ ଲଗାଯାଉଥିବା ଗଛକୁ ସୁରକ୍ଷିତ ରଖିବା ପାଇଁ ସହାୟକ ହୋଇପାରିଥିଲା। ଏଥିଯୋଗୁ ପ୍ରାୟ ୩୦ ହଜାରରୁ ଊର୍ଦ୍ଧ୍ୱ ଗଛ ଏବେ ସୁରକ୍ଷିତ ଅବସ୍ଥାରେ। ଏଥିପାଇଁ ୨୦୧୪ରେ ଓଡ଼ିଶା ସରକାରଙ୍କ ଜଙ୍ଗଲ ବିଭାଗ ପକ୍ଷରୁ ପ୍ରକୃତିମିତ୍ର ପୁରସ୍କାର ମିଳିଛି। ଏଠାରେ ଜାମୁ, ପିଜୁଳି, ଲେମ୍ବୁ, ସପେଟା, ଆମ୍ବ ଇତ୍ୟାଦି ନାନା ଫଳଗଛ ଲାଗିଛି। ତେବେ ଏହି କଲେଜର ସୌନ୍ଦର୍ଯ୍ୟ ପାଇଁ ଏକ ପୁଷ୍ପ ଉଦ୍ୟାନ କରାଯିବା ସହିତ ବିଭିନ୍ନ କଳାକୃତି ଓ ଚିତ୍ର ତିଆରି କରାଯାଇଛି। ଏବେ ମୁଁ ଆଞ୍ଚଳିକ ବିକାଶ ପରିଷଦର ଜଣେ ସକ୍ରିୟ କର୍ମଚାରୀ। ଏହାର ସଭାପତି ବୃନ୍ଦାବନସାହୁ ଏବଂ ସଂପାଦକ ଅରୁଣ ପୁରୋହିତ ବୃକ୍ଷରୋପଣ କାର୍ଯ୍ୟରେ ମତେ ସହଯୋଗ କରିଥାନ୍ତି । ଲିଙ୍ଗିପୁର, ଜୟୀପୁର, ଇଟିପୁର, ବସନ୍ତପୁର ଓ ପଲାସପୁର ଆଦି ଅଞ୍ଚଳରେ ପ୍ରାୟ ୨ହଜାର ଚାରାରୋପଣ କରାଯାଇଛି। ଏହି ଅଞ୍ଚଳର ବୃକ୍ଷପ୍ରେମୀମାନଙ୍କ ସହଯୋଗରେ ଗଙ୍ଗୁଆ ନଦୀ କୂଳେ କୂଳେ ବିଭିନ୍ନ ଗଛର ଚାରା ଲଗାଇବା କାର୍ଯ୍ୟ ଜାରି ରହିଛି ।