ଉପ ଜିଲାପାଳଙ୍କ ନିର୍ଦ୍ଦେଶପରେ ଚାରାରୋପଣ ସ୍ଥଗିତ

ଭଞ୍ଜନଗର,୧।୭(ଡି.ଏନ.ଏ)- ଗଞ୍ଜାମ ଜିଲା ବେଲଗୁଣ୍ଠା ତହସିଲ ଅନ୍ତର୍ଗତ ତନରଡ଼ା ଗୋଚର ଜମିରେ ଚାରାରୋପଣ ଯୋଜନାକୁ ନେଇ ବନ ବିଭାଗ ଓ ଆଇଆର୍‌ବି ବାଟାଲିୟନ ମଧ୍ୟରେ ଶୁକ୍ରବାର ବିବାଦ ଦେଖାଦେଇଥିଲା। ଏନେଇ ଉପ ଜିଲାପାଳ ରାଜେନ୍ଦ୍ର ମିଞ୍ଜ ଜାଣିବା ପରେ ମଙ୍ଗଳବାର ଚାରାରୋପଣକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ବନ ବିଭାଗ କାମ ବନ୍ଦ କରିଦେଇଛି।
ବୁଧବାର ଉପ ଜିଲାପାଳ ତହସିଲ କାର୍ଯ୍ୟାଳୟରେ ପହଞ୍ଚତ୍ ରେକର୍ଡ ଯାଞ୍ଚ ପରେ ଅନେକ ନୂଆ ତଥ୍ୟ ଜାଣିବାକୁ ପାଇଛନ୍ତି। ରାଜସ୍ବ ବିଭାଗର ଜଣେ ଅଧିକାରୀ ବେନିୟମ ଭାବେ ବନ ବିଭାଗକୁ ଉକ୍ତ ଜମିରେ ଚାରାରୋପଣ ପାଇଁ ମୌଖିକ ଭାବେ ନିର୍ଦ୍ଦେଶ ଦେଇଥିବାବେଳେ ଉକ୍ତ ଜମିଟି ପଞ୍ଚାୟତର। ୧୯୫୯ ମସିହାରେ ପଞ୍ଚାୟତକୁ ଉକ୍ତ ଜମି ହସ୍ତାନ୍ତର କରାଯାଇଛି। ପଞ୍ଚାୟତ ଜମିରେ ରାଜସ୍ବ ବିଭାଗ ଅଧିକାରୀ କିଭଳି ବନ ବିଭାଗକୁ ଚାରାରୋପଣ ପାଇଁ କହିଲେ ତାହା ତଦନ୍ତ ସାପେକ୍ଷ। ତନରଡ଼ା ସରପଞ୍ଚ ଅନିଲ କୁମାର ପାଠୀ ଉପ ଜିଲାପାଳଙ୍କୁ ଘଟଣାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାପାଇଁ ମଙ୍ଗଳବାର ନିବେଦନ କରିଥିଲେ। ଅନ୍ୟପଟେ ବନ ବିଭାଗ କର୍ମଚାରୀ ମୌଖିକ ନିର୍ଦ୍ଦେଶରେ କିପରି ଲକ୍ଷ ଲକ୍ଷ ଟଙ୍କାର ଯୋଜନା କାର୍ଯ୍ୟକାରୀ କରୁଥିଲେ ସେନେଇ ମଧ୍ୟ ସନ୍ଦେହ ପ୍ରକାଶ ପାଇଛି।
ଏନେଇ ଉପ ଜିଲାପାଳ ମିଞ୍ଜ କହିଛନ୍ତି, ବର୍ତ୍ତମାନ ଚାରାରୋପଣ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇ ଅଧିକ ତଦନ୍ତ ଚାଲିଛି। ବେନିୟମ କାର୍ଯ୍ୟ ହୋଇଥିବା ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ।

Share