ପ୍ଲାଜ୍‌ମା ଦାନ କଲେ ମିଳିବ ପୁରସ୍କାର ୫ ହଜାର

ବେଙ୍ଗାଲୁର, ୧୬।୭: ପ୍ଲାଜ୍‌ମା ଦାନ କରୁଥିବା ଲୋକଙ୍କ ପାଇଁ କର୍ନାଟକ ସରକାରଙ୍କ ପକ୍ଷରୁ ପୁରସ୍କାର ଘୋଷଣା କରାଯାଇଛି। ଯେଉଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ସେମାନଙ୍କଠାରୁ ପ୍ଲାଜ୍‌ମା ସଂଗ୍ରହ କରାଯାଇ ପ୍ଲାଜ୍‌ମା ଥେରାପିରେ ଚିକିତ୍ସା କରାଯିବ। ତେବେ ପ୍ଲାଜ୍‌ମା ଦାନ କରୁଥିବା ବ୍ୟକ୍ତିଙ୍କୁ ୫ ହଜାର ଟଙ୍କାର ପୁରସ୍କାର ପ୍ରଦାନ କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏନେଇ ରାଜ୍ୟ ଶିକ୍ଷା ଓ ସ୍ବାସ୍ଥ୍ୟ ମନ୍ତ୍ରୀ ଡ. କେ. ସୁଧାକର ସୂଚନା ଦେଇଛନ୍ତି। ସ୍ବେଚ୍ଛାକୃତ ଭାବେ ପ୍ଲାଜ୍‌ମା ଦାନ କରିବାକୁ ଲୋକେ ଆଗେଇ ଆସିବା ଉଚିତ୍‌ ବୋଲି ସେ ଆହ୍ବାନ ଦେଇଛନ୍ତି। ଏହା ଦ୍ୱାରା ସମାଜର ମଙ୍ଗଳ ହେବା ସହିତ କରୋନା ସଂକ୍ରମଣରୁ ମୁକ୍ତି ମିଳିପାରିବ। ୫ଜଣ ଆକ୍ରାନ୍ତଙ୍କୁ ପ୍ଲାଜ୍‌ମା ଥେରାପି ପଦ୍ଧତିରେ ଚିକିତ୍ସା କରାଯିବା ପରେ ସେମାନେ ସୁସ୍ଥ ହୋଇଥିବା ସେ କହିଛନ୍ତି।

Share