ରାଜ୍ୟବାସୀଙ୍କୁ ମାଗଣାରେ ମିଳିବ ପ୍ଲାଜମା ଥେରାପି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫।୭(ବ୍ୟୁରୋ)-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଭିଡିଓ କନଫରେନ୍ସ ଜରିଆରେ ଗୁରୁତର କୋଭିଡ୍‌ ରୋଗୀଙ୍କ ଚିକିତ୍ସା ପାଇଁ କଟକ ଏସ୍‌ସିବି ମେଡିକାଲ କଲେଜରେ କୋଭିଡ୍‌ ପ୍ଲାଜ୍‌ମା ବ୍ୟାଙ୍କ ଉଦ୍‌ଘାଟନ କରିଛନ୍ତି। ଏହାଦ୍ୱାରା ପ୍ଲାଜ୍‌ମା ଥେରାପି ବ୍ୟବସ୍ଥା ଆରମ୍ଭ କରିଥିବା ଦେଶର ଅଳ୍ପ କେତେକ ରାଜ୍ୟଗୁଡ଼ିକ କ୍ଲବରେ ଓଡ଼ିଶା ସାମିଲ ହୋଇଛି। ଦିଲ୍ଲୀ ଓ ମହାରାଷ୍ଟ୍ର ପରେ ପ୍ଲାଜ୍‌ମା ଥେରାପି କାର୍ଯ୍ୟକାରୀ କରିବାରେ ଓଡ଼ିଶା ହେଉଛି ଦେଶର ତୃତୀୟ ରାଜ୍ୟ।
ପ୍ଲାଜ୍‌ମା ବ୍ୟାଙ୍କକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାର ଲୋକମାନଙ୍କୁ ଉନ୍ନତ ସ୍ବାସ୍ଥ୍ୟ ସେବା ଓ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ମୁଁ ଓ ମୋ ସରକାର ପାଇଁ ପ୍ରତ୍ୟେକ ବ୍ୟକ୍ତିର ଜୀବନ ହେଉଛି ସବୁଠାରୁ ମୂଲ୍ୟବାନ। ଲୋକମାନଙ୍କର ଜୀବନ ବଞ୍ଚାଇବା ପାଇଁ ରାଜ୍ୟ ସରକାର ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ଓଡ଼ିଶାର ଜନସାଧାରଣଙ୍କ ପାଇଁ ପ୍ଲାଜ୍‌ମା ଥେରାପି ବିନା ମୂଲ୍ୟରେ ଉପଲବ୍ଧ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

Share