କାଲିଠୁ ଗଞ୍ଜାମରେ ପ୍ଲାଜମା ଥେରାପି

ଭୁବନେଶ୍ୱର,୨୦।୭(ବ୍ୟୁରୋ)-ମଙ୍ଗଳବାରଠାରୁ ଗଞ୍ଜାମ ଜିଲାର ଶିତଳାପଲ୍ଲୀ ସ୍ଥିତ ଟାଟା କୋଭିଡ୍‌ ହସ୍ପିଟାଲରେ ପ୍ଲାଜମା ଥେରାପି ଆରମ୍ଭ ହେବ। ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ଏହାଦ୍ୱାରା ଗଞ୍ଜାମ ଓ ଆଖପାଖ ଜିଲାର ଗୁରୁତର ରୋଗୀଙ୍କୁ ପ୍ଲାଜମା ଥେରାପି ଯୋଗାଇ ଦିଆଯିବ। ଏହାଦ୍ୱାରା କୋଭିଡ ମୃତ୍ୟୁ ସଂଖ୍ୟା ହ୍ରାସ ପାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା ପୂର୍ବରୁ ଅର୍ଥାତ ଜୁଲାଇ ୧୮ ତାରିଖରୁ ଭୁବନେଶ୍ୱର ସମ୍‌ ହସ୍ପିଟାଲ ଏବଂ କଟକର ଅଶ୍ୱିନୀ ହସ୍ପିଟାଲରେ ପ୍ଲାଜମା ଥେରାପି ଆରମ୍ଭ ହୋଇଛି। ଏହା ଫଳପ୍ରଦ ହୋଇଛି। ସମୁଦାୟ ୬ ଜଣ ରୋଗୀଙ୍କ ମଧ୍ୟରୁ ୪ ଜଣ ସୁସ୍ଥ ହୋଇଥିବା ବେଳେ ୨ ଜଣଙ୍କ ଅବସ୍ଥା ସ୍ଥିର ରହିଛି।
ବ୍ରହ୍ମପୁର ଅମିତ୍‌ ହସ୍ପିଟାଲରେ ୧୬ ଆଇସିୟୁ ବେଡ୍‌ ସହିତ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ପ୍ରତିଷ୍ଠା ହେବ। ଏହାକୁ କଟକର ଅଶ୍ୱିନୀ ହସ୍ପିଟାଲ ପରିଚାଳନା କରିବ। ଏଥିପାଇଁ ସୋମବାର ଗଞ୍ଜାମ ଜିଲା ପ୍ରଶାସନ ଓ ଅଶ୍ୱିନୀ ହସ୍‌ିଟାଲ ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷର ହୋଇଛି।
ଗଞ୍ଜାମ ଜିଲାରେ କୋଭିଡ୍‌ ମୁକାବିଲାକୁ ଆହୁରି ସୁଦୃଢ କରିବାକୁ ୨ ଜଣ ଆଇଏଏସ୍‌ ଅଫିସର, ୨୫ ଜଣ ଓଏଏସ୍‌ ଅଫିସର , ୧୦୫ ଜଣ ଓଆରଏସ୍‌ ଅଫିସର, ୩୦ ଜଣ ଏମ୍‌ବିବିଏସ୍‌ ଡାକ୍ତର, ୧୦୦ ଜଣ ଆୟୁଷ ଡାକ୍ତର ଏବଂ ୨୭ ଜଣ ଲାବରେଟୋରୀ ଟେକ୍ନିସିଆନଙ୍କୁ ନିୟୋଜିତ କରାଯାଇଛି। ଏଥିସହିତ ୩ ଜଣ ଡିଏସ୍‌ପିଙ୍କ ସମେତ ବିଭିନ୍ନ କ୍ୟାଡର ଅଫିସର ଏବଂ ୧୦ ପ୍ଲାଟୁନ ପୋଲିସ ମଧ୍ୟ ପଠାଇବାକୁ ନିଷ୍ପତ୍ତି ହୋଇଛି। ଏହି ଜିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଜିଲାରେ ଆମ୍ବୁଲାନ୍ସ ସେବାକୁ ଆହୁରି ତ୍ୱରାନ୍ବିତ କରି କିପରି ସୁଦୃଢ କରାଯିବ ତାହା ନିଶ୍ଚିତ କରାଯିବ। ଆବଶ୍ୟକତା ଅନୁଯାୟୀ ୧୦୦ଟି ଆମ୍ବୁଲାନ୍ସ ନିୟୋଜିତ କରିବା ପାଇଁ ଜିଲାପାଳଙ୍କୁ କ୍ଷମତା ପ୍ରଦାନ କରାଯାଇଛି।

Share