ଏସ୍‌ଓପି ଜାରି: ପ୍ଲାଜ୍‌ମା ଦାନ କରିବେ ପୋଲିସ କର୍ମଚାରୀ

କଟକ ଅଫିସ,୨୪।୭: କରୋନାରୁ ସୁସ୍ଥ ହୋଇଥିବା ପୋଲିସ କର୍ମଚାରୀମାନେ ନିଜର ପ୍ଲାଜ୍‌ମା ଦାନ କରିବେ। ଏ ନେଇ ରାଜ୍ୟ ପୋଲିସ ବିଭାଗ ପକ୍ଷରୁ ଗୁରୁବାର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର୍‌ (ଏସ୍‌ଓପି) ଜାରି କରାଯାଇଛି। ଏ ସଂକ୍ରାନ୍ତରେ ସମସ୍ତ ଏସ୍‌ପି ଏବଂ ବିଭିନ୍ନ ଶାଖାର ମୁଖ୍ୟଙ୍କୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ଚିଠି ଲେଖିଛନ୍ତି। କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ବର୍ତ୍ତମାନ ପ୍ଲାଜ୍‌ମା ଥେରାପିକୁ ଗୁରୁତ୍ୱ ଦେଉଛନ୍ତି। ଏଣୁ କରୋନାରୁ ସୁସ୍ଥ ହୋଇଥିବା ପୋଲିସ କର୍ମଚାରୀମାନେ ପ୍ଲାଜ୍‌ମା ଦାନ କରିବା ପାଇଁ ଆଗେଇ ଆସିବାକୁ ଡିଜିପି ଅଭୟ ଆହ୍ବାନ କରିଛନ୍ତି।
ସୂଚନା ଅନୁଯାୟୀ, ପ୍ଲାଜ୍‌ମା ଦାନ ପାଇଁ ଇଚ୍ଛୁକ କର୍ମଚାରୀଙ୍କ ବୟସ ସୀମା ୬୦ ରଖାଯାଇଛି। ସେହିପରି ଓଜନ ୫୫ କିଲୋରୁ ଅଧିକ ହୋଇଥିବା ଆବଶ୍ୟକ। ଜଣେ କର୍ମଚାରୀ ସମ୍ପୂର୍ଣ୍ଣ ଭାବେ କରୋନାରୁ ସୁସ୍ଥ ହେବାର ୨୮ ଦିନ ପରେ ହିଁ ପ୍ଲାଜ୍‌ମା ଦାନ କରିପାରିବେ। ଏଆଇଜି (ହେଡକ୍ବାର୍ଟର୍ସ) ବିବେକାନନ୍ଦ ଶର୍ମାଙ୍କୁ ଏହାର ନୋଡାଲ୍‌ ଅଫିସର୍‌ ଭାବେ ଦାୟିତ୍ୱ ଦିଆଯାଇଛି। ବିଭିନ୍ନ ଜିଲା ପୋଲିସ ସହ ନୋଡାଲ୍‌ ଅଫିସର୍‌ ସୁସ୍ଥ ହୋଇଥିବା ଏବଂ ପ୍ଲାଜ୍‌ମା ଦାନ କରିବାକୁ ଚାହୁଁଥିବା ପୋଲିସ କର୍ମଚାରୀଙ୍କ ସହିତ ଯୋଗାଯୋଗ କରିବେ। ବର୍ତ୍ତମାନ ପ୍ଲାଜ୍‌ମା ଦାନ ସୁବିଧା କଟକ ଏସ୍‌ସିବି ମେଡିକାଲ୍‌ କଲେଜ ଏବଂ ହସ୍‌ପିଟାଲ୍‌ରେ ରହିଛି। ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରି ଇଚ୍ଛୁକ ପୋଲିସ କର୍ମଚାରୀଙ୍କୁ ସେଠାକୁ ନିଆଯିବ। ପ୍ଲାଜ୍‌ମା ଦାନ ପରେ ସେମାନଙ୍କୁ ସ୍ବତନ୍ତ୍ର ପ୍ରଶଂସାପତ୍ର ପ୍ରଦାନ କରାଯିବ। ସୂଚନାଯୋଗ୍ୟ, ପ୍ରାୟ ୯୫ଜଣ ପୋଲିସ କର୍ମଚାରୀ କରୋନାରେ ଆକ୍ରାନ୍ତ ହେବା ପରେ ସୁସ୍ଥ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଗଞ୍ଜାମ ପୋଲିସ ଜିଲାର ସର୍ବାଧିକ ୨୫ଜଣ ରହିଛନ୍ତି। ସେହିପରି ବ୍ରହ୍ମପୁର ପୋଲିସ ଜିଲାର ୨୩, ଛତ୍ରପୁର ଅଷ୍ଟମ ବାଟାଲିୟନ୍‌ର ୧୪, ଝାରସୁଗୁଡ଼ା ଓଏସ୍‌ଏପି ଦ୍ୱିତୀୟ ବାଟାଲିୟନ୍‌ର ୧୦, କୋରାପୁଟ ଓଏସ୍‌ଏପି ଷଷ୍ଠ ବାଟାଲିୟନ୍‌ର ୬, ଦେବଗଡ଼ ଚତୁର୍ଥ ଆଇଆର୍‌ ବାଟାଲିୟନ୍‌ର ୩, ମାଲକାନଗିରି ଏବଂ ପୁରୀ ଜିଲାର ୨ଜଣ ଲେଖାଏ ରହିଛନ୍ତି। ଏଥିସହ ଭୁବନେଶ୍ୱର, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ମୟୂରଭଞ୍ଜ, ନୟାଗଡ଼, ଓଏସ୍‌ଏପି ଷଷ୍ଠ ବାଟାଲିୟନ୍‌ର କଟକ, ଓଏସ୍‌ଏପି ଚତୁର୍ଥ ଏସଏସ୍‌ ବାଟାଲିୟନ୍‌ ମାଲକାନଗିରି, ବୌଦ୍ଧ ପଞ୍ଚମ ଆଇଆର୍‌ ବାଟାଲିୟନ୍‌ ଏବଂ କୋରାପୁଟ ସପ୍ତମ ସ୍ବତନ୍ତ୍ର ଆରଇଆର୍‌ ବାଟାଲିୟନ୍‌ର ଜଣେ ଲେଖାଏ କର୍ମଚାରୀ ରହିଛନ୍ତି।

Share