ଅଙ୍ଗନବାଡି କେନ୍ଦ୍ରର ଛାତରୁ ଖସିଲା ପ୍ଲାଷ୍ଟର ଓ଼ କଂକ୍ରିଟ ଚିପ୍ସ, କେନ୍ଦ୍ରର କର୍ମଚାରୀ ଆହତ

ମୋରଡା,୧୨।୯(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ଅଧୀନ ନୂଆଗାଁ ଅଙ୍ଗନବାଡି କେନ୍ଦ୍ରର ଛାତରୁ ପ୍ଲାଷ୍ଟର ଓ଼ କଂକ୍ରିଟ ଚିପ୍ସ ଖସିପଡିଛି। ସେଥିରେ ଅଙ୍ଗନବାଡି କର୍ମଚାରୀ ନିରୁପମା ସୋରେନ ଆହତ ହୋଇଛନ୍ତି। ତେବେ କେନ୍ଦ୍ରକୁ ଯାଉଥିବା ଛୋଟଛୋଟ ପିଲାମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି l

ସୂଚନାଯୋଗ୍ୟ, ଆଜକୁ ପ୍ରାୟ ଆଠ ମାସରୁ ଉର୍ଦ୍ଧ ହେବ ଉକ୍ତ ଅଙ୍ଗନବାଡି କେନ୍ଦ୍ରଟି ପରିତ୍ୟକ୍ତ ଅବସ୍ଥାରେ ଥିବା ବେଳେ ଅଙ୍ଗନବାଡି କେନ୍ଦ୍ରର ମରାମତି ନିମନ୍ତେ ଅଙ୍ଗନବାଡି କର୍ମଚାରୀ ନିରୁପମା ସୋରେନ ସ୍ଥାନୀୟ ସରପଞ୍ଚ ଓ଼ ମୋରଡା ସିଡିପିଓ ମିତା ନାଏକଙ୍କୁ ଜଣାଇଥିଲେ l ଏପରିକି ସିଡିପିଓଙ୍କୁ ଲିଖିତ ଭାବେ ମଧ୍ୟ ଜଣାଇ ମରାମତି ନିମନ୍ତେ ଅନୁରୋଧ କରିଥିଲେ l କିନ୍ତୁ ସିଡିପିଓ ମିତା ନାଏକଙ୍କ ଅବହେଳା ଯୋଗୁଁ ଅଙ୍ଗନବାଡି କେନ୍ଦ୍ର ମରାମତି କାର୍ଯ୍ୟ ଏଯାଏଁ ହୋଇପାରିନାହିଁ l
ତେବେ ଆଜି ନିରୁପମା ଅଙ୍ଗନବାଡି କେନ୍ଦ୍ରକୁ ଖୋଲି ଝାଡୁ ମାରୁଥିବା ସମୟରେ ପ୍ଲାଷ୍ଟର ଓ଼ କଂକ୍ରିଟ ଚିପ୍ସ ଖସି ନିରୁପମାଙ୍କ ଅଣ୍ଟା ଉପରେ ପଡିବାରୁ ସେ ଆହତ ହୋଇଛନ୍ତି l ସୌଭାଗ୍ୟ ବଶତଃ ଉକ୍ତ ଘଟଣା ଅଙ୍ଗନବାଡି କେନ୍ଦ୍ରରେ ଥିବା ପିଲାଙ୍କ ଉପରେ ହୋଇନାହିଁ l

ତେବେ ସିଡିପିଓ ମିତା ନାଏକ ବିଭିନ୍ନ ଘଟଣା ନେଇ ପୂର୍ବରୁ ବିବାଦୀୟ ହୋଇଥିବାବେଳେ ଉକ୍ତ ଘଟଣା ତାଙ୍କର କାର୍ଯ୍ୟ ଅବହେଳାକୁ ସୂଚାଉଛି ବୋଲି ସାଧାରଣରେ ଆଲୋଚନା ହେଉଛି l
ଏବାବଦରେ ମିତା ନାଏକଙ୍କୁ ପଚାରିବାରୁ ଉକ୍ତ ଅଙ୍ଗନବାଡି କେନ୍ଦ୍ରର ମରାମତି ପାଇଁ ସେ ମୋରଡା ବିଡ଼ିଓ ଜୟକୃଷ୍ଣ ପାତ୍ରଙ୍କ ସହିତ ଆଲୋଚନା କରିଛନ୍ତି ଏବଂ ଯଥାଶୀଘ୍ର ମରାମତି କାର୍ଯ୍ୟ ହେବ ବୋଲି କହିଛନ୍ତି l