ସରକାରୀ କ୍ୱାର୍ଟର୍ସରୁ ଖସିଲା ପ୍ଲାଷ୍ଟର: ରାଜସ୍ବ ନିରୀକ୍ଷକ ଗୁରୁତର

ମୋରଡା,୨୫।୮(ସ୍ମାରକ ମାଜୀ): ମୟୁରଭଞ୍ଜ ଜିଲା ମୋରଡା ବ୍ଲକ ଅଧୀନ ଗଡ଼ିଗାଁ ପଞ୍ଚାୟତରେ ଥିବା ସରକାରୀ କ୍ୱାର୍ଟର୍ସ ଛାତର ପ୍ଲାଷ୍ଟର ଖସି ଗଡିଗାଁ ରାଜସ୍ବ ନିରୀକ୍ଷକ ଗୁରତର ଆହତ ହୋଇଛନ୍ତି l

ମିଳିଥିବା ସୂଚନା ମୁତାବକ, ରାଜସ୍ବ ନିରୀକ୍ଷକ ସେବତୀ କିସ୍କୁ ତାଙ୍କ ଛୋଟ ପିଲା ସହିତ ସରକାରୀ କ୍ୱାର୍ଟର୍ସରେ ଶୋଇଥିବା ବେଳେ ଛାତର ପ୍ଳାଷ୍ଟର ଖସି ତାଙ୍କ ମୁଣ୍ଡରେ ପଡିଥିଲା। ଫଳରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ପରେ ସେ ଘଟଣା ସମ୍ପର୍କରେ ମୋରଡା ତହସିଲଦାର ଅନନ୍ତ କୁମାର ହାଁସଦାଙ୍କୁ ଜଣାଇଥିଲେ। ତହସିଲଦାର ଗାଡି ପଠାଇ ସେବତୀଙ୍କୁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ସେ ଚିକିତ୍ସିତ ହୋଇଥିବା କହିଛନ୍ତି ରାଜସ୍ବ ନିରୀକ୍ଷକ ସେବତୀ।

ଗତ କିଛି ମାସ ତଳେ ଉକ୍ତ କ୍ୱାର୍ଟର୍ସ ମରାମତି କାର୍ଯ୍ୟ ଗ୍ରାମ୍ୟ ବିଭାଗ ଦ୍ୱାରା କରାଯାଇଥିଲା। ତେବେ ଘଟଣାକୁ ସ୍ବୀକାର କରିଛନ୍ତି ବିଭାଗର ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ଅଶ୍ୱନୀ କୁମାର ଦଣ୍ଡପାଟ। ପୁଣି ମରାମତି କାର୍ଯ୍ୟ ଭଲ ଭାବେ କରାଯିବ ବୋଲି ସେ କହିଛନ୍ତି l

Share