ଡାକ୍ତରଖାନା ଛାତରୁ ପୁଣି ଖସିଲା ପ୍ଲାଷ୍ଟର

ଆନନ୍ଦପୁର,୨୫ା୬(ସନ୍ତୋଷ ରାଉତ): ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଡାକ୍ତରଖାନା ପୁଣି ଚର୍ଚ୍ଚାକୁ ଆସିଛି। ଡାକ୍ତରଖାନା ଓପିଡି ଛାତରୁ ରବିବାର ପ୍ଲାଷ୍ଟର ଖସିଛି। ଡାକ୍ତରଖାନା ଓପିଡିରେ ଡାକ୍ତରଙ୍କ ନିକଟକୁ ଆସିଥିବା ଅନେକ ରୋଗୀ ଲାଇନ୍‌ରେ ଛିଡ଼ା ହେବା ସମୟରେ ଛାତରୁ ପ୍ଲାଷ୍ଟର ଖଣ୍ଡ ଖସିଥିଲା। ଏହାଦ୍ୱାରା ଜଣେ ରୋଗୀ ଆହତ ହୋଇଥିବା ବେଳେ ଅନ୍ୟ କାହାରି କୌଣସି କ୍ଷତି ହୋଇ ନ ଥିଲା। ନିମ୍ନମାନର ନିର୍ମାଣ କାର୍ଯ୍ୟ ଯୋଗୁ ବାରମ୍ବାର ଡାକ୍ତରଖାନାର ବିଭିନ୍ନ ଓ୍ବାର୍ଡରେ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି। ଫଳରେ ଏଠାରେ କାର୍ଯ୍ୟରତ ଡାକ୍ତରଙ୍କଠାରୁ ଆରମ୍ଭ କରି ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟମାନେ ଭୟଭୀତ ରହୁଛନ୍ତି। ଘଟଣାକୁ ନେଇ ଖୋଦ୍‌ ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତର ବେଞ୍ଜାମିନ୍‌ ସିର୍କା ଉଦ୍‌ବେଗ ପ୍ରକାଶ କରିବା ସହିତ ପୂର୍ବରୁ ମଧ୍ୟ ଛାତରୁ ପ୍ଲାଷ୍ଟର ଖସିଥିବା କହିଛନ୍ତି। ଆମେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରିଛୁ, ସେ ଯାହା ପଦକ୍ଷେପ ନେବେ। ପୂର୍ବରୁ କେତେକ ଓ୍ବାର୍ଡର ଛାତରୁ ପ୍ଲାଷ୍ଟର ଖଣ୍ଡ ଖସିବାଠାରୁ ଆରମ୍ଭ କରି ଓଟି ଛାତରୁ ମଧ୍ୟ ପ୍ଲାଷ୍ଟର ଖଣ୍ଡ ଖସିବାର ନଜିର ରହିଛି। ବିଭିନ୍ନ ସମୟରେ ଡାକ୍ତରଖାନାରେ ନବୀକରଣ କାର୍ଯ୍ୟ ନାମରେ ଲକ୍ଷଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କାର୍ଯ୍ୟ ହୋଇଆସୁଛି। ତେବେ ଉପଯୁକ୍ତ ତଦାରଖ ଅଭାବରୁ ନିମ୍ନମାନର ନିର୍ମାଣ କାର୍ଯ୍ୟ ହେଉଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ସାଧାରଣରେ ଅଭିଯୋଗ ହେଉଛି।