ସ୍ମାର୍ଟ ସ୍କୁଲ ସିଲିଂରୁ ଖସିଲା ପ୍ଲାଷ୍ଟର

ଗୋପ,୨୩।୬(ଭାରତୀ ଭୂଷଣ ଉପାଧ୍ୟାୟ): ରାଜ୍ୟ ସରକାର ଗୁଣାତ୍ମକ ଶିକ୍ଷା ସହିତ ଅଧ୍ୟୟନରତ ଛାତ୍ରୀଛାତ୍ର କିପରି ଶୃଙ୍ଖଳିତ ଓ ଅତ୍ୟାଧୁନିକ ଜ୍ଞାନକୌଶଳରେ ଶିକ୍ଷା ଲାଭ କରିବେ, ସେଥିପାଇଁ ସ୍ମାର୍ଟ ସ୍କୁଲ ୫-ଟି ଯୋଜନାରେ ଅନ୍ତର୍ଭୁକ୍ତ କଲେ। ଏହି ଯୋଜନାରେ ଗୋପ ବ୍ଲକର ଅଧିକାଂଶ ସ୍କୁଲ ରହିଥିବା ସମୟରେ ଏରବଙ୍ଗ ସରକାରୀ ବିଦ୍ୟାଳୟ ମଧ୍ୟ ରହିଛି। ହେଲେ ଏହି ସ୍ମାର୍ଟ ସ୍କୁଲରେ ୩୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲେ ମଧ୍ୟ କିଛି ମାସ ମଧ୍ୟରେ ବିଦ୍ୟାଳୟର ସମ୍ମୁଖ ସିଲିଂରୁ ପ୍ଲାଷ୍ଟର ଖସି ପଡିଯାଇଛି। ପ୍ଲାଷ୍ଟର ଖସିବା ଘଟଣା ଅଭିଭାବକଙ୍କ ମହଲରେ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ନିମ୍ନମାନର କାର୍ଯ୍ୟ ଯୋଗୁ ଏଭଳି ହୋଇଥିବା ଅଭିଯୋଗ କରିଛନ୍ତି। ପ୍ରକାଶ ଯେ, ଏରବଙ୍ଗ ସରକାରୀ ବିଦ୍ୟାଳୟଟି ୧୯୬୩ ରେ ସ୍ଥାପିତ ହୋଇଥିବା ବେଳେ ଏଠାରେ ଶତାଧିକ ଛାତ୍ରୀଛାତ୍ର ଶିକ୍ଷାଲାଭ କରୁଛନ୍ତି। ସ୍କୁଲଟି ଅତି ପୁରାତନ ସ୍କୁଲ ଭାବରେ ପରିଚିତ ହୋଇଥିବା ବେଳେ ଏହି ସ୍କୁଲକୁ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ ସ୍ମାର୍ଟସ୍କୁଲ ତାଲିକାରେ ଅନ୍ତର୍ଭୁକ୍ତ କରିଥିଲେ। ସ୍କାର୍ଟ ସ୍କୁଲ ଘୋଷଣା ପରେ ନୂତନ ଆକାରରେ ସ୍କୁଲଗୃହଗୁଡ଼ିକ କାର୍ଯ୍ୟ ହୋଇଥିଲା। ହେଲେ କାର୍ଯ୍ୟ ହେବାର କିଛି ମାସ ମଧ୍ୟରେ ଗୁରୁବାର ବିଦ୍ୟାଳୟର ସମ୍ମୁଖ ଭାଗରେ ଥିବା ସିଲିଂର ପ୍ଲାଷ୍ଟର ଖସିଯାଇଛି। ସୌଭାଗ୍ୟବଶତଃ ସେହି ସମୟରେ କେହି ଛାତ୍ରୀଛାତ୍ର କି ଶିକ୍ଷକ, କର୍ମଚାରୀ ସେଠାରେ ଉପସ୍ଥିତ ନ ଥିଲେ। ତେବେ ଏହି ବିଦ୍ୟାଳୟରେ ୫-ଟି ଯୋଜନା ଅର୍ଥକୁ ଠିକ ଭାବରେ ଖର୍ଚ୍ଚ କରା ନ ଯାଇ ସ୍କୁଲ କାନ୍ଥକୁ କେବଳ ରଙ୍ଗ ବୋଳି ଅର୍ଥ ନେଇଯାଇଥିବା ଅଭିଯୋଗ ହୋଇଛି। ଆଉ ମଧ୍ୟ ଅଧାପନ୍ତରିଆ ଭାବରେ କେତେକ କାର୍ଯ୍ୟ ରହିଛି। ଏ ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସଙ୍ଗିତା ମଲ୍ଲିକ ବାରମ୍ବାର ବିଡିଓ ଦୀପ୍ତିରାଣୀ ଦାସଙ୍କୁ ଚିଠି ଲେଖିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ। ଏପରି ଅଭିଯୋଗକୁ ତୁରନ୍ତ କାର୍ଯ୍ୟାଦେଶ ନେଇଥିବା କନିଷ୍ଠ ଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି କରାଯାଇଛି। ଏ ସମ୍ପର୍କରେ ବିଡଓ ଦୀପ୍ତିରାଣୀ ଦାସଙ୍କୁ ପଚାରିବାରେ ଅଭିଯୋଗ ରହିଛି। ଖୁବ୍‌ଶୀଘ୍ର ମରାମତି କରାଯିବ ବୋଲି କହିଛନ୍ତି।