ମଧ୍ୟାହ୍ନଭୋଜନ ସମୟରେ ବିଦ୍ୟାଳୟ ଛାତରୁ ଖସିଲା ପ୍ଲାଷ୍ଟର: ଛାତ୍ର ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

ମୋରଡ଼ା,୩ା୪(ସ୍ମାରକ ମାଜୀ): ମଧ୍ୟାହ୍ନଭୋଜନ ଖାଉଥିବା ସମୟରେ ବିଦ୍ୟାଳୟ ଛାତରୁ ପ୍ଲାଷ୍ଟର ଖସି ପଡ଼ିବାରୁ ଜଣେ ଛାତ୍ର ଗୁରୁତର ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ସାନମୁଣ୍ଢାବଣି ପଞ୍ଚାୟତର ସରାଶୋଳ ଗ୍ରାମର ଗାଲୁସାହି ସରକାରୀ ପ୍ରାଥମିକ ବିଦ୍ୟାଳୟରେ।

ସୂଚନା ମୁତାବକ, ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଯାଏ ଶ୍ରେଣୀ ଥିବା ବେଳେ ମୋଟ୍‌ ୨୬ଜଣ ଛାତ୍ରୀଛାତ୍ର ପାଠ ପଢୁଛନ୍ତି। ତେବେ ବୁଧବାର ସକାଳେ ଛାତ୍ରୀଛାତ୍ର ବିଦ୍ୟାଳୟ ବାରଣ୍ଡାରେ ମଧ୍ୟାହ୍ନଭୋଜନ କରୁଥିବା ସମୟରେ ହଠାତ୍‌ ବିଦ୍ୟାଳୟ ଛାତରୁ ପ୍ଲାଷ୍ଟର ଖସି ପଡ଼ିଥିଲା। ଫଳରେ ଛାତ୍ରୀଛାତ୍ର ଦୌଡ଼ି ପଳାଇଥିଲେ ମଧ୍ୟ ତୃତୀୟ ଶ୍ରେଣୀରେ ପଢ଼ୁଥିବା ଗୋବିନ୍ଦ ହେମ୍ବ୍ରମଙ୍କ ମୁଣ୍ଡ ଉପରେ ପ୍ଲାଷ୍ଟର ଖସି ପଡ଼ିବାରୁ ଗୁରୁତର ହୋଇଥିଲେ। ଗୁରୁତର ଛାତ୍ରଙ୍କୁ ବିଦ୍ୟାଳୟର ସହକାରୀ ଶିକ୍ଷକ ରାଙ୍ଗା ମୁର୍ମୁ ମୋରଡ଼ା ଡାକ୍ତରଖାନାକୁ ନେଇ ଚିକିତ୍ସିତ କରାଇଥିଲେ। ଛାତ୍ର ଜଣଙ୍କ ମୁଣ୍ଡରେ ଦୁଇଟି ଷ୍ଟିଚ୍‌ ପଡ଼ିଥିବାର ଜଣାପଡ଼ିଛି।

ତେବେ ଛାତ୍ରୀଛାତ୍ରଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଦ୍ୟାଳୟର ନୂତନ ଏକ ବିଲଡିଂ ନିର୍ମାଣ ନହେବା ପର୍ଯ୍ୟନ୍ତ ପିଲାଙ୍କୁ ବିଦ୍ୟାଳୟକୁ ଯିବାକୁ ଦିଆଯିବ ନାହିଁ ଏବଂ ଉକ୍ତ ଘଟଣା ପାଇଁ ପଞ୍ଚାୟତ ପ୍ରଶାସନ, ଶିକ୍ଷା ବିଭାଗ ଦାୟୀ ବୋଲି କହିଛନ୍ତି ଓ୍ବାର୍ଡ ସଦସ୍ୟ ବିଶ୍ୱନାଥ ମୁର୍ମୁ, ଅଭିଭାବକ ସୀତା ହେମ୍ବ୍ରମ, କିସୁନ ହାଁସଦା  , କଟି ହେମ୍ବ୍ରମ, ନାରାୟଣ ହେମ୍ବ୍ରମ। ତେବେ ପୂର୍ବରୁ ପଞ୍ଚାୟତ ପ୍ରଶାସନକୁ ଅସୁରକ୍ଷିତ ବିଦ୍ୟାଳୟ ବାବଦରେ ଲିଖିତ ଭାବେ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ ସହକାରୀ ଶିକ୍ଷକ ରାଙ୍ଗା ମୁର୍ମୁ ବୋଲି କହିଛନ୍ତି।

Share