‘ପ୍ଲାଷ୍ଟିକ୍‌ମୁକ୍ତ ପିକ୍‌ନିକ୍‌’ ଅଭିଯାନ ଆରମ୍ଭ

ଭୁବନେଶ୍ୱର, ୩୧।୧୨(ଅସମାପିକା ସାହୁ)ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ୍‌ ଓ ପଲିଥିନର ବହୁଳ ବ୍ୟବହାର ସାରା ବିଶ୍ୱ ପାଇଁ ବଡ଼ ବିପଦ ପାଲଟିଛି। ଏହାର ବ୍ୟବହାରକୁ ରୋକିବା ବେଶ୍‌ ଚ୍ୟାଲେଞ୍ଜପୂର୍ଣ୍ଣ ହୋଇଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଶେଷ ସଚେତନତା କାର୍ଯ୍ୟକ୍ରମ ଭାବେ ଶନିବାରଠାରୁ ‘ପ୍ଲାଷ୍ଟିକ୍‌ମୁକ୍ତ ପିକ୍‌ନିକ’ ଆରମ୍ଭ ହୋଇଛି। ଏହା ଅଧୀନରେ ରାଜ୍ୟର ପ୍ରମୁଖ ପିକନିକ ସ୍ଥାନଗୁଡ଼ିକୁ ପ୍ଲାଷ୍ଟିକମୁକ୍ତ କରିବା ଲାଗି ଛାତ୍ରୀଛାତ୍ର, ଯୁବଗୋଷ୍ଠୀ ଓ ସାଧାରଣ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରାଯାଉଛି। ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ଅଭିନେତା ସବ୍ୟସାଚୀ ମିଶ୍ର ସାମିଲ ହୋଇ ପିକ୍‌ନିକ୍‌ ବେଳେ ପ୍ଲାଷ୍ଟିକ ଜିନିଷ ବର୍ଜନ କରିବାକୁ ଜନସାଧାରଣଙ୍କୁ ଅପିଲ କରିଛନ୍ତି। ଏ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି, ପିକ୍‌ନିକ୍‌ ବେଳେ ପୁନଃବ୍ୟବହାରଯୋଗ୍ୟ ସାମଗ୍ରୀ ବ୍ୟବହାର କରିବା ସହ ପରିବେଶକୁ କିପରି ସଫାସୁତରା ରଖିବା ସେଥିପ୍ରତି ଧ୍ୟାନ ଦେବାକୁ ପଡ଼ିବ। ଭବିଷ୍ୟତ ପିଢ଼ିଙ୍କ ନିମନ୍ତେ ସୁସ୍ଥ ବାତାବରଣ ସୃଷ୍ଟି କରିବାକୁ ସମସ୍ତେ ଆଗେଇ ଆସିବା ପାଇଁ ସେ ଆହ୍ବାନ କରିଛନ୍ତି। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ କେ. ମୁରୁଗେଶନ କହିଛନ୍ତି, ପ୍ଲାଷ୍ଟିକ ଏବଂ ପଲିଥିନ୍‌ ଭଳି ପ୍ରଦୂଷଣକାରୀ ଜିନିଷ ଆମ ପରିବେଶ ପାଇଁ କ୍ଷତିକାରକ। ତେଣୁ ପ୍ରାକୃତିକ ସ୍ଥାନରେ ପିକନିକ କରିବା ବେଳେ ଏଭଳି ସାମଗ୍ରୀ ବ୍ୟବହାର କରିବା ନାହିଁ। ଏହି ପ୍ରଦୂଷଣକାରୀ ଜିନିଷ ମଣିଷ ସମାଜକୁ ବିପଦରେ ପକାଇବା ସହିତ ଅନ୍ୟ ଜୀବଜନ୍ତୁଙ୍କୁ ମଧ୍ୟ ପ୍ରଭାବିତ କରିଥାଏ। ପ୍ଲାଷ୍ଟିକ୍‌ମୁକ୍ତ ପିକନିକ ଅଭିଯାନରେ ସାମିଲ ହୋଇ ପରିବେଶକୁ ସୁରକ୍ଷିତ ରଖିବାକୁ ସେ ଆହ୍ବାନ ଦେଇଛନ୍ତି। ‘ୟୁଥ ଫର୍‌ ୱାଟର’ ଅଭିଯାନର ପ୍ରତିଷ୍ଠାତା ତଥା ଓଡ଼ିଶାର ଜଳମାନବ ଭାବେ ପରିଚିତ ରଞ୍ଜନ ପଣ୍ଡା କହିଛନ୍ତି, ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ। ଏଥିପାଇଁ ଯୁବପିଢ଼ି ସକଳ୍ପବଦ୍ଧ ହେବା ଦରକାର। ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସହରାଞ୍ଚଳରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ଓ ୧୨୦ ମାଇକ୍ରନରୁ କମ୍‌ ପତଳା ପଲିଥିନ ବ୍ୟାଗ ଆଦି ବ୍ୟବହାରକୁ ନିଷେଧ କରାଯାଇଛି। ଚଳିତବର୍ଷ ୧୭୬ଟି ପ୍ରମୁଖ ପିକ୍‌ନିକ୍‌ ସ୍ଥଳରେ ଏହି କଟକଣାକୁ କଡ଼ାକଡ଼ି ପାଳନ କରାଯିବ। ଏଥିଲାଗି ବ୍ୟାପକ ସଚେତନତା ସୃଷ୍ଟିର ଆବଶ୍ୟକତା ରହିଛି। ତେଣୁ ଏନେଇ ସ୍ଥାନୀୟ ସାମାଜିକ କର୍ମୀ, ଇକୋ କ୍ଲବର ସଦସ୍ୟ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ଲୋକମାନଙ୍କୁ ସଚେତନ କରୁଛନ୍ତି। ତୃଣମୂଳ ସ୍ତରରେ ଏହାକୁ କାର୍ଯ୍ୟକାରୀ କରିବାରେ ‘ୟୁଥ୍‌ ଫର୍‌ ୱାଟର’ ଅଭିଯାନ ପ୍ରମୁଖ ଭୂମିକା ଗ୍ରହଣ କରୁଛି।

Share