ପ୍ଲାଷ୍ଟିକ ଆବର୍ଜନା ଦିନକୁ ଦିନ ବଢିବାକୁ ଲାଗିଛି। କେବଳ ସ୍ଥଳ ଭାଗରେ ନୁହେଁ ସମୁଦ୍ରରେ ବି ଏହାର ପରିମାଣ ବଢିବାକୁ ଲାଗିଲାଣି। ତେବେ କାନାଡାର ସ୍ଥପତି ଭନ୍ ଓଙ୍ଗ ଏହି ପ୍ଲାଷ୍ଟିକ ଆବର୍ଜନାକୁ ଭିନ୍ନ ଉପାୟରେ ବ୍ୟବହାର କରିବାକୁ ଚେଷ୍ଟା କରୁଛନ୍ତି। ଆଉ ଗଢୁଛନ୍ତି ବିଭିନ୍ନ ସ୍ଥାପତ୍ୟ। ନିକଟରେ ତାଙ୍କର ଏକ ସ୍ଥାପତ୍ୟ ବେଶ୍ ଚର୍ଚ୍ଚାକୁ ଆସିଛି। ଅଦରକାରୀଭାବେ ଏଣେତେଣେ ପଡି ରହିଥିବା ପ୍ଲାଷ୍ଟିକ୍ ଷ୍ଟ୍ର’କୁ ବ୍ୟବହାର କରି ସେ ଉକ୍ତ ସ୍ଥାପତ୍ୟଟିକୁ ତିଆରି କରିଛନ୍ତି। ଏହାକୁ ସେ ଭିଏଟ୍ନାମର ହୋଚି ମିନ୍ ସହରରେ କରିଛନ୍ତି। ଆଉ ଷ୍ଟ୍ର ସଂଗ୍ରହ ମଧ୍ୟ ଭିଏଟ୍ନାମର ବିଭିନ୍ନ ଡଷ୍ଟବିନ୍ରୁ ହୋଇଛି। ୬ ମାସର ସଂଗ୍ରହ ପରେ ତାକୁ ସଫା କରାଯାଇଥିଲା, ରଙ୍ଗ ଅନୁଯାୟୀ ଅଲଗା ଅଲଗା ରଖାଯାଇଥିଲା। ପରେ ଏହାକୁ ନେଇ ସେ ସ୍ଥାପତ୍ୟ ଗଢିବା ଆରମ୍ଭ କରିଥିଲେ। ଆଉ ତିଆରି କରିଥିଲେ ଏକ ବିରାଟକାୟ ସମୁଦ୍ର ଲହଡି ମାଡି ଆସୁଥିବା ଭଳି ସ୍ଥାପତ୍ୟ; ଯାହାର ଉଚ୍ଚତା ୧୦ ଫୁଟ ୯ ଇଞ୍ଚ, ଲମ୍ବା ୩୬ ଫୁଟ୍ ୨ ଇଞ୍ଚ ଏବଂ ଓସାର ୧୪ ଫୁଟ୍ ୯ ଇଞ୍ଚ ଥିଲା। ପର୍ଯ୍ୟଟକ ଏହା ମଧ୍ୟ ଦେଇ ଗଲାବେଳେ ଏକ ବିରାଟକାୟ ଜୁଆର ମଧ୍ୟରେ ଗଲାଭଳି ଅନୁଭବ କରନ୍ତି।