ଢେଙ୍କାନାଳ ଅଫିସ୍,୨୯ା୮: ଢେଙ୍କାନାଳ ଜିଲା ପ୍ରଶାସନ ପକ୍ଷରୁ ସାଇ ପ୍ରଶିକ୍ଷଣ କେନ୍ଦ୍ର ଏବଂ ଜିଲା ହକି ସଂଘର ସହଯୋଗରେ ସ୍ଥାନୀୟ ମିନି ଷ୍ଟାଡିୟମଠାରେ ସୋମବାର ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ଅତିଥି ଓ କ୍ରୀଡ଼ାବିତମାନେ ହକି କିମଦନ୍ତୀ ମେଜର ଧ୍ୟାନଚାନ୍ଦଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ମୁଖ୍ୟ ଅତିଥି ଭାବେ ଜିଲାପାଳ ସରୋଜ କୁମାର ସେଠୀ ଯୋଗଦେଇ ଥିବାବେଳେ ପୂର୍ବତନ ହକି ଖେଳାଳି ଅଭୟ କୁମାର ରାଉତ, କୋଚ ବାବୁଲା ମହାନ୍ତି, ସାଇପ୍ରସାଦ ଦଳେଇ ପ୍ରମୁଖ ଉପସ୍ଥିତ ରହି ରାଜ୍ୟ ଓ ଜିଲାସ୍ତରୀୟ ହକି ପ୍ରତିଯୋଗିତାରେ କୃତୀ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ହକି ଖେଳାଳିଙ୍କ ନିୟମିତ ଅଭ୍ୟାସ ପାଇଁ ଏକ ପଡ଼ିଆ ନିର୍ମାଣ କରିବାକୁ ପୌରସଂସ୍ଥା ପକ୍ଷରୁ ୧୦ଲକ୍ଷ ଟଙ୍କାର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ଦିଆଯାଇଥିଲା। ସମ୍ମାନିତ ଅତିଥି ଭାବେ ଜିଲା କ୍ରୀଡ଼ା ସଂସଦ ସମ୍ପାଦକ ନଳିନୀ କୁମାର ଦାସ, ଜିଲା କ୍ରୀଡ଼ା ଅଧିକାରୀ ପ୍ରଦୀପ୍ତ କୁମାର ମହାନ୍ତି ଉପସ୍ଥିତ ଥିଲେ। ହକି ଖେଳାଳିଙ୍କ ସହ ସାଇ ପ୍ରଶିକ୍ଷଣ କେନ୍ଦ୍ର ଭାର ଉତ୍ତୋଳନ ଓ କୁସ୍ତି ଖେଳାଳି ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ।