Categories: ଖେଳ

ଗୋଟିଏ ଦଳ ପାଇଁ ଖେଳୁଛନ୍ତି ୨ ଦେଶର ଖେଳାଳି: ଅଧିନାୟକ ପାକିସ୍ତାନର, ଉପଅଧିନାୟକ ଭାରତୀୟ

ଦୁବାଇ,୩୧।୮: ଏସିଆ କପ ୨୦୨୨ରେ ଭାରତର ଦ୍ୱିତୀୟ ମ୍ୟାଚ ହଂକଂ ଦଳ ସହିତ। କ୍ରିକେଟ ଦୁନିଆରେ ଏହି ଦଳର ନାମ କ୍ୱଚିତ୍‌ ଶୁଣାଯାଏ। ଭାରତ ବର୍ତ୍ତମାନ ପର୍ଯ୍ୟନ୍ତ ହଂକଂ ବିପକ୍ଷରେ କେବଳ ଦୁଇଟି ଦିନିକିଆ ଖେଳିଛି ଏବଂ ଉଭୟ ଜିତିଛି। ଭାରତୀୟ ଦଳ ପ୍ରଥମ ଥର ପାଇଁ ହଂକଂ ବିପକ୍ଷରେ ଟି-୨୦ ମ୍ୟାଚ ଖେଳିବ। ଏହି ମ୍ୟାଚ ଜିତିବା ଭାରତ ପାଇଁ କଷ୍ଟସାଧ୍ୟ ହେବ ନାହିଁ। ତେବେ ହଂକଂ ଦଳକୁ ନେଇ ଏକ ରୋଚକ ତଥ୍ୟ ରହିଛି।
ଏସିଆ କପ୍‌ର ମୁଖ୍ୟ ରାଉଣ୍ଡରେ ପହଞ୍ଚିଥିବା ହଂକଂ ଦଳର ସ୍ଥାନୀୟ ବାସିନ୍ଦା ନାହାଁନ୍ତି। ୧୭ ଜଣିଆ ଦଳରେ ୧୨ ଜଣ ଖେଳାଳି ପାକିସ୍ତାନର। ଚାରିଜଣ ଖେଳାଳି ଭାରତର ଏବଂ ଜଣେ ଖେଳାଳି ଇଂଲଣ୍ଡର। ବିଶେଷ କଥା ହେଉଛି ଭାରତ ଏବଂ ପାକିସ୍ତାନର ଖେଳାଳିମାନେ କୌଣସି ଲିଗରେ ଏକାଠି ଖେଳନ୍ତି ନାହିଁ, କିନ୍ତୁ ହଂକଂ ଦଳରେ ଉଭୟ ଦେଶର ଖେଳାଳି ଏକାଠି ଖେଳନ୍ତି। ଯଦିଓ ଏହି ଦଳ ପାଇଁ ଖେଳୁଥିବା ଖେଳାଳିଙ୍କ ଭାରତ ଏବଂ ପାକିସ୍ଥାନ ସହିତ ସମ୍ପର୍କ ଥାଇପାରେ, କିନ୍ତୁ ବିସିସିଆଇ କିମ୍ବା ପିସିବି ସହିତ କାହାର ସମ୍ପର୍କ ନାହିଁ।
ହଂକଂ ଦଳର ଅଧିନାୟକ ନିଜାକତ ଖାନ ପାକିସ୍ତାନର ପଞ୍ଜାବର ଅଟନ୍ତି। ସେ ଅଟୋକରେ ଜନ୍ମଗ୍ରହଣ କରିଥିଲେ। ଏଥି ସହିତ ଦଳର ଉପ-ଅଧିନାୟକ କିଞ୍ଚିତ ଶାହା ଭାରତ ସହ ଜଡିତ। ସେ ମହାରାଷ୍ଟ୍ରର ମୁମ୍ବାଇ ସହରରେ ଜନ୍ମଗ୍ରହଣ କରିଥିଲେ। ଏହା ବ୍ୟତୀତ ଦଳର ଉଇକେଟ କିପର ବ୍ୟାଟ୍ସମ୍ୟାନ ସ୍କଟ ମ୍ୟାକେଙ୍କି ଇଂଲଣ୍ଡର ଅଟନ୍ତି। ହଂକଂର ସ୍ଥାନୀୟ ଲୋକଙ୍କ ମଧ୍ୟରେ କ୍ରିକେଟ ପ୍ରତି ଆଗ୍ରହ ନାହିଁ । ସେଥିପାଇଁ ସେଠାକାର ଲୋକମାନେ ଭଲ କ୍ରିକେଟର ମଧ୍ୟ ନୁହଁନ୍ତି।

Share