Advertisement

ନାରାୟଣ ହାଇସ୍କୁଲ ଖେଳପଡ଼ିଆ ଉନ୍ନତୀକରଣ କାମ ହେଲାନି

ଶରଣକୁଳ,୨୧ା୪(ଡି.ଏନ.ଏ.): ରାଜ୍ୟ ସରକାର ପ୍ରତି ହାଇସ୍କୁଲର ଖେଳପଡ଼ିଆକୁ ମିନି ଷ୍ଟାଡିୟମରେ ପରିଣତ କରିବା ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟ ବରାଦ କରୁଛନ୍ତି। ହେଲେ ଶରଣକୁଳ ନାରାୟଣ ହାଇସ୍କୁଲ ଖେଳ ପଡ଼ିଆ ଉନ୍ନତିକରଣ କାମ ପ୍ରତି କେହି ଗୁରୁତ୍ୱାରୋପ କରୁନାହାନ୍ତି। ସେଥିପାଇଁ ଉକ୍ତ ଖେଳ ପଡ଼ିଆ ଅବହେଳିତ ଭାବେ ପଡ଼ି ରହିଛି। ଏପରି କି ଉନ୍ନତିକରଣ କାମ ପାଇଁ ଗତ ୭ମାସ ତଳେ ଶିଳାନ୍ୟାସ ହୋଇଛି। ହେଲେ ଆଜି ପର୍ଯ୍ୟନ୍ତ କାମ ଆରମ୍ଭ ହୋଇ ନ ଥିବାରୁ ଜନଅସନ୍ତୋଷ ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ, ନୟାଗଡ଼ର ତତ୍କାଳୀନ ରାଜା ନାରାୟଣ ସିଂ ମାନ୍‌ନ୍ଧାତା ଏହି ହାଇସ୍କୁଲ ନିର୍ମାଣ କରିଥିଲେ। ଏଥିସହିତ ହାଇସ୍କୁଲ ସମ୍ମୁଖରେ ଥିବା ଏକ ଖେଳପଡ଼ିଆକୁ ସ୍କୁଲ ନାମରେ ରେକର୍ଡଭୁକ୍ତ କରାଇଥିଲେ। ଏହି ଖେଳପଡ଼ିଆରେ ପ୍ରତିବର୍ଷ ରାଜ୍ୟ ବାହାରର ଖେଳାଳିମାନଙ୍କୁ ନେଇ ସର୍ବଭାରତୀୟ ଫୁଟବଲ ଟୁର୍ନାମେଣ୍ଟ ଏବଂ ସରକାରୀସ୍ତରରେ ବିଭିନ୍ନ ପ୍ରତିଯୋଗିତା କରାଯାଇଥାଏ। ୨୦୨୧ରେ ରାଜ୍ୟ ସରକାର ଉକ୍ତ ଖେଳ ପଡ଼ିଆକୁ ମିନି ଷ୍ଟାଡିୟମ ଭାବେ ପରିଣତ କରିବା ପାଇଁ ୨୫ଲକ୍ଷ ଟଙ୍କା ବ୍ୟୟ ବରାଦ କରିଥିଲେ। ତା୧୭ା୮ା୨୦୨୨ରିଖରେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ଉକ୍ତ ମିନି ଷ୍ଟାଡିୟମର ଶିଳାନ୍ୟାସ କରିଥିଲେ। ଇତିମଧ୍ୟରେ ୭ମାସ ବିତିଛି। ଖେଳପଡ଼ିଆର ଉନ୍ନତିକରଣ କାମ ଆରମ୍ଭ ହୋଇନାହିଁ। ଏ ସଂକ୍ରାନ୍ତରେ କାର୍ଯ୍ୟାଦେଶ ପାଇଥିବା ଠିକାଦାରଙ୍କୁ ପଚାରିବାରେ ଏଥିପାଇଁ ଏଷ୍ଟିମେଟ ଏବଂ ପ୍ଲାନ ଠିକ ଭାବେ ହୋଇନାହିଁ। ପୁଣିଥରେ ପ୍ଲାନ ଏଷ୍ଟିମେଟ କରିବା ପାଇଁ କୁହାଯାଇଛି। ସେଥିପାଇଁ ଉକ୍ତ କାମ ଆରମ୍ଭ ହେବାରେ ବିଳମ୍ବ ଘଟିଛି ବୋଲି ସେ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share