Categories: ଖେଳ

ଭାରତ-ଦକ୍ଷିଣ ଆଫ୍ରିକା ଫାଇନାଲ୍‌, ଆସିଲା ଭାରତର ୧୧ ଖେଳାଳୀଙ୍କ ସାମ୍ଭାବ୍ୟ ଲିଷ୍ଟ !

ନୂଆଦିଲ୍ଲୀ, ୨୯।୦୬: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଟି-୨୦ ବିଶ଼୍ବକପ୍‌ର ଫାଇନାଲ୍‌ ମ୍ୟାଚ୍‌ ହେବାକୁ ଯାଉଛି । ବାରବାଡୋସର ପିଚ୍‌ ନମ଼୍ବର ୪ରେ ଏହି ମ୍ୟାଚ୍‌ ଖେଳାଯିବ । ଏହି ମ୍ୟାଚ୍‌ ରୋମାଞ୍ଚକର ହେବାକୁ ଯାଉଛି । କାରଣ ବିଶ଼୍ବକପ୍‌ ଟ୍ରଫି ହାତେଇବାକୁ ଭାରତ ଦଶନ୍ଧି ଧରି ଅପେକ୍ଷା କରିଥିବା ବେଳେ ଦକ୍ଷିଣ ଆଫ୍ରିକା ପ୍ରଥମ ଥର କୌଣସି ବିଶ଼୍ବକପ୍‌ ଜିତିବାକୁ ଫାଇନାଲ୍‌ରେ ପହଞ୍ଚିଛି । ଏହାରି ମଧ୍ୟରେ ଭାରତର ପ୍ଲେଇଂ ୧୧ ସାମ୍ଭାବ୍ୟ ଲିଷ୍ଟ ସାମ୍ନାକୁ ଆସିଛି । ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ରିଷଭ ପନ୍ତ, ସୂର୍ଯ୍ୟ କୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ୍‌ ଦୁବେ, ରବିନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ୍‌, କୁଲଦୀପ ଯାଦବ, ଜସ୍‌ପ୍ରୀତ୍‌ ବୁମ୍‌ରାହ, ଅର୍ଶଦୀପ ସିଂହ ଏହି ସାମ୍ଭାବ୍ୟ ତାଲିକାରେ ରହିଛନ୍ତି ।

ତେବେ ବାରବାଡୋସର ଏହି ୪ ନମ଼୍ବର ପିଚ୍‌ ଟିକେ ଭିନ୍ନ । ଏହି ପିଚ୍‌ରେ ସୁପର ୮ର ପ୍ରଥମ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଆଫଗାନିସ୍ତାନକୁ ହରାଇଥିଲା । ଲମ଼୍ବା ସମୟ ଧରି ବିଶ଼୍ବକପ୍‌ ଟ୍ରଫି ହାତେଇବାକୁ ଟିମ୍‌ ଇଣ୍ଡିଆ ଅପେକ୍ଷା କରିଥିବା ବେଳେ ଦକ୍ଷିଣ ଆଫ୍ରିକା ପ୍ରଥମ ଥର ବିଶ଼୍ବ ଚମ୍ପିୟନ୍‌ ହେବାକୁ ଆତୁର ହୋଇ ରହିଛି । ଏହି ଦୁଇ ଟିମ୍‌ରେ ଜଣଙ୍କ ଠୁ ବଳି ଜଣେ ଧୁରନ୍ଧର ଖେଳାଳି ରହିଛନ୍ତି । ମ୍ୟାଚ୍‌ କେତେବେଳେ କେଉଁ ଖେଳାଳିଙ୍କ ସପୋର୍ଟରେ ଯିବ ତାହା କହିବା ଅସମ୍ଭବ । ବାମହାତୀ ଦ୍ରୁତ ବୋଲରମାନେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କୁ ଅସୁବିଧାରେ ପକାଉଛନ୍ତି। ଫର୍ମରେ ଥିବା ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ମାର୍କୋ ଜନସନ ଏହାର ଫାଇଦା ଉଠାଇ ପାରନ୍ତି। ତେବେ ମ୍ୟାଚ୍‌ ରୋହିତଙ୍କ ସପକ୍ଷରେ ରହୁଛି । କାରଣ ଟି-୨୦ ମ୍ୟାଚର ୯ ଇନିଂସରେ ଜନସନଙ୍କୁ ସାମ୍ନା କରିଛନ୍ତି ରୋହିତ । ଜନସନ୍‌ ତାଙ୍କୁ କେବଳ ଥରେ ଆଉଟ କରିବାକୁ ସକ୍ଷମ ହୋଇଛନ୍ତି।

ଭାରତୀୟ ଦଳ ଟି-୨୦ ବିଶ୍ୱକପରେ ଏପର୍ଯ୍ୟନ୍ତ ଅପରାଜିତ ରହିଛି। କିନ୍ତୁ ବିରାଟ କୋହଲିଙ୍କ ଫର୍ମ ଏବେ ଚିନ୍ତାର କାରଣ ହୋଇଛି। କୋହଲି ୭ଟି ମ୍ୟାଚରେ ମାତ୍ର ୭୫ ରନ ସ୍କୋର କରିବାକୁ ସକ୍ଷମ ହୋଇଛନ୍ତି । ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର କାଗିସୋ ରାବାଡା ୮ ଟି ମ୍ୟାଚରେ ୧୨ ଟି ୱିକେଟ ନେଇଛନ୍ତି ଏବଂ ତାଙ୍କର ଇକୋନୋମି ରେଟ୍‌ ୬ରୁ କମ ରହିଛି। କୋହଲିଙ୍କୁ ରାବାଡାଙ୍କ ବଲକୁ ସାମ୍ନା କରିବାବେଳେ ସତର୍କ ରହିବାକୁ ପଡିବ। ରାବାଡା କୋହଲିଙ୍କୁ ୧୨ ଇନିଂସରେ ୪ ଥର ଆଉଟ୍‌ କରି ପାଭିଲିୟନ୍‌ ଫେରାଇଛନ୍ତି ।

Share