Categories: Uncategorized

ନାଟ୍ୟକାର କୁଞ୍ଜ ରାୟଙ୍କ ପରଲୋକ

ଭୁବନେଶ୍ୱର, ୧୩।୨(ବ୍ୟୁରୋ): ବିଶିଷ୍ଟ ନାଟ୍ୟକାର, ଗାଳ୍ପିକ, ଅନୁବାଦକ ଓ ଔପନ୍ୟାସିକ କୁଞ୍ଜ ରାୟଙ୍କ ଶୁକ୍ରବାର ପରଲୋକ ଘଟିଛି। ତାଙ୍କୁ ୭୬ବର୍ଷ ବୟସ ହୋଇଥିଲା। ସେ ଭୁବନେଶ୍ୱରସ୍ଥିତ ଏଜି ଅଫିସ୍‌ରେ ୧୯୭୦ରୁ ୨୦୦୪ ପର୍ଯ୍ୟନ୍ତ ଜଣେ ଉଚ୍ଚ ପଦାଧିକାରୀ ଭାବେ କାର୍ଯ୍ୟରତ ଥିଲେ। ସେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ, କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନ, ପ୍ରଜାତନ୍ତ୍ର ପ୍ରଚାର ସମିତିର ହରିହର ମହାପାତ୍ର ସମ୍ମାନ, ନାଟ୍ୟକାର ରାମଚନ୍ଦ୍ର ସମ୍ମାନ, ଉତ୍କଳ ସାହିତ୍ୟ ସମାଜ ସମ୍ମାନ ସହିତ ବହୁ ଅନୁଷ୍ଠାନ ଦ୍ୱାରା ପୁରସ୍କୃତ ହୋଇଛନ୍ତି। ଆକାଶବାଣୀରେ ପ୍ରସାରିତ ଲୋକପ୍ରିୟ ନାଟକ‘ନାୟକ ଚନ୍ଦ୍ରସେଣ’ ପାଇଁ ସେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପାଇଥିଲେ। ସେହିଭଳି ଅଗ୍ନିସାନ, କେଉଁ ନଈ ମୁହାଣରେ, କାଳାନ୍ତର, ବିଦାୟ ବଜ୍ରାଦିତ୍ୟ, କ୍ଷୁଦ୍ର ନାଟକ ତ୍ରୟୀ, ଅନୁସୃଜନ ତତ୍ରୟୀ, ସଫୋକ୍ଲିସ୍‌ଙ୍କ ତ୍ରୟୀ, ଅପ୍ରତିହତ ଖାରବେଳ, କର୍ମଯୋଗୀ ଆଦି ହେଉଛି ତାଙ୍କର କାଳଜୟୀ ନାଟକ। ପୁରୀ ସ୍ବର୍ଗଦ୍ୱାର ଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ତାଙ୍କ ବିୟୋଗରେ ଓଡ଼ିଶା ନାଟ୍ୟସଂଘ ସମେତ ବିଭିନ୍ନ ନାଟ୍ୟାନୁଷ୍ଠାନ, ନାଟ୍ୟପ୍ରେମୀ, ଦର୍ଶକ, ପାଠକ ଗଭୀର ଶୋକ ପ୍ରକାଶ କରିଛନ୍ତି।