ଦୋଷ ମାନିଲେ ଯୁଦ୍ଧ ଅପରାଧୀ

କିଭ୍‌, ୧୯ା୫: ୟୁକ୍ରେନ୍‌ରେ ନୀରିହ ଜନସାଧାରଣଙ୍କୁ ହତ୍ୟା ଭଳି ଯୁଦ୍ଧ ଅପରାଧ ଘଟାଇଥିବା ଜଣେ ୨୧ ବର୍ଷୀୟ ରୁଷୀୟ ସୈନ୍ୟ ଭାଦିମ୍‌ ଶିଶିମାରିନ୍‌ କିଭ୍‌ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସେ ୟୁକ୍ରେନ୍‌ରେ ଜଣେ ୬୨ ବର୍ଷୀୟ ନିରସ୍ତ୍ର ବୃଦ୍ଧଙ୍କୁ ଗୁଳି କରି ହତ୍ୟା କରିଥିବା କଥା ସ୍ବୀକାର କରିଛନ୍ତି। କିଭ୍‌ର ଏକ କୋର୍ଟରେ ଶିଶିମାରିନ୍‌ଙ୍କୁ ହାତକଡ଼ି ଲଗାଯାଇ ହାଜର କରାଯାଇଥିଲା।

ସେଠାରେ ମୃତକଙ୍କ ସ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ। ଶିଶିମାରିନ୍‌ ଏବଂ ଅନ୍ୟ ୪ ଜଣ ଏକ କାର୍‌ ଚୋରି କରି ଯାଉଥିବାବେଳେ ଚୁପାଖିବ୍‌ଖାଠାରେ ସାଇକେଲରେ ଥିବା ବୃଦ୍ଧଙ୍କ ଉପରକୁ ଗୁଳି ଚଳାଇଥିବା ମାନିଛନ୍ତି। ଜନସାଧାରଣଙ୍କୁ ମଧ୍ୟ ହତ୍ୟା କରିବାକୁ ନିର୍ଦ୍ଦେଶ ରହିଥିଲା ବୋଲି ଶୁଣାଣିବେଳେ ଜଣାପଡ଼ିଛି।

ଗୁରୁବାର ଏହାର ପରବର୍ତ୍ତୀ ଶୁଣାଣି ହେବ। ରୁଷିଆ ୟୁକ୍ରେନ୍‌ରେ ଅଦ୍ୟାବଧି ୧୦ ହଜାରରୁ ଊର୍ଦ୍ଧ୍ୱ ଯୁଦ୍ଧ ଅପରାଧ ଘଟାଇଥିବା କିଭ୍‌ ପକ୍ଷରୁ ଚିହ୍ନଟ କରାଯାଇଛି। ଗତ ଫେବୃୟାରୀ ୨୪ରେ ପଡ଼ୋଶୀ ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ କରିବା ପରଠୁ ଏହା ହେଉଛି କୌଣସି ରୁଷୀୟ ସୈନ୍ୟଙ୍କ ବିରୋଧରେ ପ୍ରଥମ ବିଚାର।

Share