Categories: ଜାତୀୟ

ଥଇଥାନ ପାଇଁ କ’ଣ ପଦକ୍ଷେପ ନେଇଛ ଜଣାଅ

ନୂଆଦିଲ୍ଲୀ, ୪ା୭ ହିଂସା କ୍ଷତିଗ୍ରସ୍ତ ମଣିପୁରରେ ଘରଦ୍ୱାର ହରାଇଥିବା ଲୋକମାନଙ୍କ ଥଇଥାନ ପାଇଁ କ’ଣ ପଦକ୍ଷେପ ନେଇଛ, ଆଇନ ଶୃଙ୍ଖଳା ସ୍ଥିିତିରେ କିଭଳି ଉନ୍ନତି ହୋଇଛି ଓ ଲୁଟ୍‌ ହୋଇଥିବା ଅସ୍ତ୍ରଶସ୍ତ୍ର ଉଦ୍ଧାର ସମ୍ପର୍କିତ ସଂଶୋଧିତ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିବା ପାଇଁ ସୁପ୍ରିମକୋର୍ଟ ସୋମବାର ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତିରେ ଧୀରେ ଧୀରେ ସୁଧାର ଆସୁଛି। ବର୍ତ୍ତମାନ କର୍ଫ୍ୟୁ ସମୟ ଦିନକୁ ୫ ଘଣ୍ଟାକୁ ହ୍ରାସ କରାଯାଇଛି ବୋଲି ରାଜ୍ୟ ସରକାର ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠଙ୍କୁ କହିଥିଲେ। ଖଣ୍ଡପୀଠରେ ଜଷ୍ଟିସ ପି.ଏସ୍‌. ନରସିଂହ ଏବଂ ମନୋଜ ମିଶ୍ରା ରହିଛନ୍ତି। ଥଇଥାନ ଶିବିର, ଆଇନ ଶୃଙ୍ଖଳା ଓ ଅସ୍ତ୍ର ଉଦ୍ଧାର କରିବାରେ କ’ଣ ପଦକ୍ଷେପ ନିଆଯାଇଛି, କେବଳ ତାହା ଜଣାଅ ବୋଲି ଖଣ୍ଡପୀଠ ମଣିପୁର ହିଂସା ଉପରେ ଏକାଧିକ ପିଟିଶନ୍‌ର ଶୁଣାଣି କରିବା ପରେ କହିଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୧୦କୁ ଧାର୍ଯ୍ୟ କରାଯାଇଛି।
କେତେକ ଉଗ୍ରପନ୍ଥୀ ଗୋଷ୍ଠୀ ରାଜ୍ୟ ସରକାରଙ୍କ ପ୍ରାୟୋଜିତ ବୋଲି କୁକି ସଂଖ୍ୟାଲଘୁ ସଂଗଠନରୁ ପ୍ରତିନିଧିତ୍ୱ କରୁଥିବା ବରିଷ୍ଠ ଆଇନଜୀବୀ କୋଲିନ ଗନସାଲ୍‌ଭେସ୍‌ ଯୁକ୍ତି ବାଢ଼ିଥିବାବେଳେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏହାକୁ ଖଣ୍ଡନ କରିବା ସହ ଅଭିଯୋଗ ଦୁର୍ଭାଗ୍ୟଜନକ ବୋଲି କହିଥିଲେ। କୁକି ପକ୍ଷର ଓକିଲ ହିଂସାକାଣ୍ଡକୁ କୌଣସି ସାମ୍ପ୍ରଦାୟିକ ମୋଡ଼ ନ ଦେବା ଲାଗି ସେ ପରାମର୍ଶ ଦେଇଥିଲେ। ଧୀରେ ଧୀରେ ହେଲେ ମଧ୍ୟ ରାଜ୍ୟ ସ୍ଥିତିରେ ଉନ୍ନତି ଆସିଛି। ଯାହାକିଛି ସମସ୍ୟା ଥିଲା ତାହାର ସମାଧାନ କରାଯାଉଛି। ରାଜ୍ୟ ପୋଲିସ ବ୍ୟତୀତ ସେଠାରେ ଭାରତୀୟ ରିଜର୍ଭ ବାଟାଲିୟନ, ମଣିପୁର ରାଇଫଲ୍ସ, କମାଣ୍ଡୋ, ସିଏପିଏଫ୍‌ର ୧୧୪ କମ୍ପାନୀ, ସେନାର ୧୮୪ କଲମ୍‌ ଯବାନ ଶାନ୍ତି ଶୃଙ୍ଖଳା ରକ୍ଷାରେ ନିୟୋଜିତ ହୋଇଛନ୍ତି। ହିଂସା ପ୍ରପୀଡ଼ିତଙ୍କ ଥଇଥାନ ପାଇଁ ୩୫୫ ରିଲିଫ କ୍ୟାମ୍ପ ଖୋଲିଥିବା ସଲିସିଟର ଜେନେରାଲ ଖଣ୍ଡପୀଠଙ୍କୁ ଜଣାଇଥିଲେ। ସୂଚନାଯୋଗ୍ୟ, ୨ ମାସ ହେଲା ମଣିପୁରରେ ଜାତିଆଣ ହିଂସାକାଣ୍ଡ ଲାଗିରହିଥିବାବେଳେ ଏଥିରେ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିବା ସହ ହଜାର ହଜାର ଲୋକ ଘରଦ୍ୱାର ହରାଇ ରିଲିଫ ଶିବିରରେ ଆଶ୍ରୟ ନେଇଛନ୍ତି।

Share