ପିଏଲ୍‌ଏଫ୍‌ଆଇର ପୋଡ଼ାଜଳା

ସୁନ୍ଦରଗଡ଼/ନୂଆଗାଁ,୧୯।୧(ଡି.ଏନ୍‌.ଏ.): କିଛିମାସ ବନ୍ଦ ରହିବା ପରେ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ପୁଣି ପିଏଲ୍‌ଏଫ୍‌ଆଇ (ପିପୁଲ ଲିବରେଶନ ଫ୍ରଣ୍ଟ୍‌ ଅଫ୍‌ ଇଣ୍ଡିଆ) ସଙ୍ଗଠନର କାର୍ଯ୍ୟକଳାପ ଆରମ୍ଭ ହୋଇଛି। ସୁନ୍ଦରଗଡ଼ ଜିଲା ନୂଆଗାଁ ବ୍ଲକ ହାତୀବାରି ଥାନାଠାରୁ ୧୦ କିଲୋମିଟର ଦୂର ଝାଡ଼ଖଣ୍ଡ ରାଜ୍ୟ ସିମଡେଗା ଜିଲାର ଜଲଡେଗା ଅନ୍ତର୍ଗତ ଓଡ଼ଗାଁ ରେଳଷ୍ଟେଶନ ନିକଟରେ ବୁଧବାର ବିଳମ୍ବିତ ରାତିରେ ପିଏଲ୍‌ଏଫ୍‌ଆଇ ସଙ୍ଗଠନ ପକ୍ଷରୁ ପୋଡ଼ାଜଳା କରାଯାଇଛି। ବାହାର ଠିକାଦାରଙ୍କ ଦ୍ୱାରା ସେଠାରେ ଚାଲିଥିବା ରାସ୍ତା କାମରେ ନିୟୋଜିତ ଏକ ଜେସିବି ମେଶିନ ଓ ଏକ ପାଣି ଟ୍ୟାଙ୍କରକୁ ଉକ୍ତ ସଙ୍ଗଠନ ପକ୍ଷରୁ ନିଆଁ ଲଗେଇ ଦିଆଯାଇଛି। ସେଠାରେ ଏକ ଧମକପୂର୍ଣ୍ଣ ପୋଷ୍ଟର କାନ୍ଥରେ ଲଗାଯାଇଛି। ଯେଉଁଥିରେ କାମ କରୁଥିବା ଠିକାଦାରଙ୍କୁ ଧମକ ଦିଆଯାଇଛି। ସଙ୍ଗଠନକୁ ନ ଜଣାଇ କାମ କରିଥିବାରୁ ଏଭଳି ଘଟଣା ଘଟାଯାଇଥିବା ସଙ୍ଗଠନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଖବରପାଇ ସିମଡେଗା ଓ ଜଲଡେଗା ଥାନାର ବରିଷ୍ଠ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରୁଛନ୍ତି।

Share