Categories: ଫୁରସତ

ବିବାହ ବାର୍ଷିକୀରେ ସ୍ତ୍ରୀଙ୍କ ପାଇଁ ଜହ୍ନରେ ଜାଗା କିଣିଲେ ଧର୍ମେନ୍ଦ୍ର

ସାଧାରଣତଃ ଯେଉଁମାନେ ପ୍ରେମରେ ପଡ଼ନ୍ତି ସେମାନେ ଅନେକ ସ୍ବପ୍ନ ଦେଖିଥାନ୍ତି। ଏପରିକି ପ୍ରେମିକଟିଏ ପ୍ରେମିକାଙ୍କ ପାଇଁ ଜହ୍ନରେ ଜାଗା କିଣିଦେବା କିମ୍ବା ତାରାଫୁଲରେ ଘର ସଜାଇବାକୁ ପ୍ରତିଶ୍ରୁତି ବି ଦେଇଥାନ୍ତି। ଏକଥା ଆମେ ଗୀତ ବା ଗପରେ ଶୁଣିଥିଲେ। ମାତ୍ର ବାସ୍ତବରେ ମଧ୍ୟ ଏହି କଥାକୁ ପ୍ରମାଣ କରି ଦେଖାଇଛନ୍ତି ରାଜସ୍ଥାନର ଅଜମେରରେ ରହୁଥିବା ଧର୍ମେନ୍ଦ୍ର ଆନିଜା। ବିବାହ ବାର୍ଷିକୀରେ ସେ ତାଙ୍କ ସ୍ତ୍ରୀଙ୍କୁ ଚନ୍ଦ୍ରରେ ୩ ଏକର ଜମି କିଣି ଦେଇଛନ୍ତି। ଧର୍ମେନ୍ଦ୍ର କହିଛନ୍ତି, ଆଜି ହେଉଛି ତାଙ୍କ ଅଷ୍ଟମ ବିବାହ ବାର୍ଷିକୀ। ସେ ତାଙ୍କ ସ୍ତ୍ରୀ ସପ୍‌ନା ଆନିଜାଙ୍କ ପାଇଁ କିଛି କରିବା ପାଇଁ ଚନ୍ଦ୍ରରେ ଜାଗା କିଣିଛନ୍ତି।

ସେ କହିଛନ୍ତି, ଡିସେମ୍ବର ୨୪ରେ ଆମର ବିବାହ ବାର୍ଷିକୀ ଥିଲା। ମୁଁ ତାଙ୍କ ପାଇଁ ଏକ ସ୍ବତନ୍ତ୍ର ଉପହାର ଦେବାକୁ ଚାହୁଁଥିଲି। ଏମିତିରେ ତ ସମସ୍ତେ କାର୍‌ ଏବଂ ଅଳଙ୍କାର ଭଳି ଅନେକ କିଛି ଉପହାର ସ୍ବରୁପ ଦିଅନ୍ତି। କିନ୍ତୁ ମୁଁ କିଛି ଅଲଗା କରିବାକୁ ଚାହୁଁଥିଲି। ତେଣୁ ମୁଁ ସପ୍‌ନାଙ୍କ ପାଇଁ ଚନ୍ଦ୍ରରେ ଜାଗା କିଣି ଦେଲି।

ଧର୍ମେନ୍ଦ୍ର ଲୁନା ସୋସାଇଟି ଇଣ୍ଟରନ୍ୟାସନାଲ ମାଧ୍ୟମରେ ଏହି ଜମି କିଣିଥିଲେ। ଏହି ପ୍ରକ୍ରିୟା ଶେଷ ହେବାକୁ ପ୍ରାୟ ଏକ ବର୍ଷ ସମୟ ଲାଗିଥିବା ଧର୍ମେନ୍ଦ୍ର କହିଛନ୍ତି। ସେ କହିଛନ୍ତି, ‘ମୁଁ ଖୁସି। ମୁଁ ଭାବୁଛି ରାଜସ୍ଥାନର ପ୍ରଥମ ବ୍ୟକ୍ତି ଯିଏ କି ଚନ୍ଦ୍ରରେ ଜମି କିଣିଛି।

Share