ପୁଟିନ୍‌ଙ୍କୁ ହତ୍ୟା କରିବା ଲାଗି ହୋଇଥିଲା ଷଡ଼ଯନ୍ତ୍ର…

ମସ୍କୋ, ୧୫।୯ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଅପରପକ୍ଷରେ ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ହତ୍ୟା କରିବା ଲାଗି ଏକ ଷଡ଼ଯନ୍ତ୍ର କରାଯାଇଥିବା ଦାବି ହୋଇଛି। ଦାବି କରାଯାଇଛି ଯେ ତାଙ୍କ କାର ନିକଟରେ ଏକ ବୋମା ଫିଙ୍ଗା ଯାଇଥିଲା। ତେବେ ପୁଟିନ୍‌ ଏତ୍ରେ ଅଳ୍ପକେ ବର୍ତ୍ତି ଯାଇଥିଲେ। ତେବେ ଏହାର ସୂଚନା ଆନୁଷ୍ଠାନିକ ଭାବେ ପ୍ରଦାନ କରାଯାଇ ନାହିଁ।

ଦ ମିରର ସମେତ ଅନ୍ୟ ଅନେକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ କ୍ରେମଲିନ ସୂତ୍ରରୁ ପ୍ରକାଶ ଯେ ଭ୍ଲାଦିମିର ପୁଟିନଙ୍କ ଲିମୋଜିନ କାର ନିକଟରେ ଏକ ବୋମା ଫିଙ୍ଗାଯାଇ ଆକ୍ରମଣ କରାଯାଇଥିଲା ଏବଂ ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରାଯାଇଥିଲା। କୁହାଯାଉଛି ଯେ ପୁଟିନଙ୍କ କାରର ବାମ ପାର୍ଶ୍ୱରେ ଏକ ପ୍ରଚଣ୍ଡ ବିସ୍ଫୋରଣଣ୍‌ ହୋଇଥିଲା ଏବଂ ଏହା ପରେ ବହଳ ଧୂଆଁ ମଧ୍ୟ ବାହାରିଥିଲା। ତେବେ ଏହା କେବେ ଏବଂ କେଉଁଠାରେ ଘଟିଛି ତାହା କୁହାଯାଇ ନାହିଁ।

ପୁଟିନଙ୍କ ଲିମୋଜିନ କାରକୁ ସୁରକ୍ଷିତ ଭାବେ ଅନ୍ୟ ଏକ ସ୍ଥାନକୁ ନିଆଯାଇଥିବା ଦାବି କରାଯାଇଛି। ଏହି ଘଟଣାରେ ପୁଟିନଙ୍କର କୌଣସି କ୍ଷତି ହୋଇ ନଥିଲା। ଅନ୍ୟ ଏକ ରିପୋର୍ଟରେ କୁହାଯାଇଛି ଯେ ପୁଟିନ କୌଣସି ସ୍ଥାନରୁ ଫେରୁଥିବା ସମୟରେ ଏହି ଘଟଣା ଘଟିଥିଲା ଏବଂ ଏହି ସମୟରେ ସୁରକ୍ଷା ସ୍କ୍ବାର୍ଡର ପ୍ରଥମ କାରକୁ ଆମ୍ବୁଲାନ୍ସ ଦ୍ୱାରା ଅଟକାଇ ଦିଆଯାଇଥିଲା ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ପୁଟିନଙ୍କ କାର ନିକଟଟରେ ଏକ ପ୍ରଚଣ୍ଡ ଶବ୍ଦ ଶୁଣାଗଲା ଏବଂ ତା’ପରେ ଧୂଆଁ ବାହାରିଲା।

ଏହି ଘଟଣା ପରେ କାରକୁ ବୋମା ନିରୋଧକ ଏବଂ ବୁଲେଟ ପ୍ରୁଫ ସୁରକ୍ଷା କର୍ମୀ ଘେରି ରହିଥିଲେ। ଚାରିଆଡେ ବ୍ୟାପିଥିବା ଧୂଆଁକୁ ଦୂର କରିବା ପାଇଁ ଉଦ୍ୟମ କରାଯାଇଥିଲା। କିଛି ସମୟ ପରେ ପୁଟିନଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା। ଏହା ମଧ୍ୟ କୁହାଯାଉଛି ଯେ ଏହା ଏକ ଆତ୍ମଘାତୀ ଆକ୍ରମଣ ଥିଲା।

ଏହା ମଧ୍ୟ ସାମ୍ନାକୁ ଆସିଛି ଯେ ପୁଟିନଙ୍କ ସୁରକ୍ଷା ସହ ଜଡିତ ଅନେକ ଲୋକଙ୍କୁ ଗିରଫ କରାଯାଇଛି। ଅନ୍ୟପକ୍ଷରେ, ଦ ସନ୍‌ ର ଏକ ରିପୋର୍ଟ ଅନୁଯାୟୀ ପୁଟିନଙ୍କୁ ହତ୍ୟା କରିବାର ଏହି ଉଦ୍ୟମ କେବେ ଘଟିଲା ତାହା ସ୍ପଷ୍ଟ ହୋଇନାହିଁ।

Share