ପୁଟିନଙ୍କୁ ହତ୍ୟା ଷଡ଼ଯନ୍ତ୍ର: ଗସ୍ତଦଳ ଯାଉଥିବା ପୋଲ ତଳେ ଥିଲା ବୋମା…

ମସ୍କୋ,୧।୭ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ମସ୍କୋର ଏକ ପୋଲ ଉପରେ ହତ୍ୟା କରିବାର ଷଡଯନ୍ତ୍ର ହୋଇଥିବା ଘଟଣାର ପର୍ଦ୍ଦଫାଶ ହୋଇଛି। ତେବେ ଏହାକୁ ରୁଷିଆର ଗୁପ୍ତଚର ସର୍ଭିସ ଦ୍ୱାରା ପଣ୍ଡ କରାଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତଦଳ ପାର ହେବାକୁ ଥିବା ପୋଲ ତଳେ ନଦୀରେ ବିସ୍ଫୋରକ ଲଗାଇ ଏହି ହତ୍ୟା ଯୋଜନା କରାଯାଇଥିବା ଅଭିଯୋଗ ହୋଇଛି। ଟେଲିଗ୍ରାମ ଚ୍ୟାନେଲ ଭିସିଏଚକେ-ଓଜିପିୟୁ ଅନୁଯାୟୀ, ରୁଷିଆର ବରିଷ୍ଠ ଅଧିକାରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଫେଡେରାଲ ପ୍ରୋଟେକ୍ସନ ସର୍ଭିସ ପୋଲକୁ ବିସ୍ଫୋରଣରେ ଉଡ଼ାଇବା ପାଇଁ କରାଯାଇଥିବା ଏକ ଷଡଯନ୍ତ୍ରକୁ ପଣ୍ଡ କରିଥିବା ଦାବି କରିଛି।

ଟେଲିଗ୍ରାମ ଚ୍ୟାନେଲ ଦାବି କରିଛି ଯେ ବିସ୍ଫୋରକ ସାମଗ୍ରୀକୁ ଏକ ଅଜ୍ଞାତ ବ୍ରିଜ ତଳେ ରଖାଯାଇଛି ଯେଉଁଥିରେ ପୁଟିନଙ୍କ ମୋଟରକେଡ ପାର ହେବାର ଆଶା କରାଯାଉଥିଲା। ଅଜ୍ଞାତ ବ୍ରିଜ୍‌ ମସ୍କୋ ବାହାରେ କ୍ରେମଲିନ ଏବଂ ପୁଟିନଙ୍କ ସରକାରୀ ବାସଭବନକୁ ଯିବା ବାଟରେ ବୋଲି ଜଣାପଡିଛି।

ଏକ ସନ୍ଦିଗ୍ଧ ଡଙ୍ଗା ନଦୀ ତଳେ ରଖାଯାଇଥିଲା। ଏଥିରେ ଥିବା ବିସ୍ଫୋରକ ସାମଗ୍ରୀ ଦ୍ୱାରା ପୁଟିନଙ୍କୁ ହତ୍ୟା କରିବାର ଷଡଯନ୍ତ୍ର ହୋଇଥିଲା। ଫେଡେରାଲ ସିକ୍ୟୁରିଟି ସର୍ଭିସର ଜଣେ ଡ୍ୟୁଟି ଅଧିକାରୀ ବ୍ରିଜ ତଳେ ଏକ ସନ୍ଦେହଜନକ ଡଙ୍ଗା ବିଷୟରେ ଜଣାଇଥିଲେ।

ରିପୋର୍ଟରେ ଦର୍ଶାଯାଇଛି ବ୍ରିଜ ଉପରେ ଯାନବାହାନ ଚଳାଚଳ ଯୋଗୁଁ ସନ୍ଦେହଜନକ ଡଙ୍ଗା ଥିବା ଗୁପ୍ତଚର ସୂଚନା ମିଳିବା ପରେ ଡାଇଭରମାନେ ପାଣି ଭିତରକୁ ପ୍ରବେଶ କରିଥିଲେ। ସୁରକ୍ଷା ଏଜେନ୍ସି ଡଙ୍ଗାର କର୍ମଚାରୀଙ୍କ କାଗଜପତ୍ର ମଧ୍ୟ ଯାଞ୍ଚ କରିଥିବା କୁହାଯାଉଛି ଯେଉଁଥିରେ ସେମାନେ ବ୍ରିଜ୍‌ ମରାମତି କରୁଛନ୍ତି ବୋଲି ସୂଚନା ଦେଇଥିଲେ। ବିସ୍ଫୋରକ ସାମଗ୍ରୀର ଜବତ କିମ୍ବା ଏଥିରେ ଲୋକଙ୍କ ସମ୍ପୃକ୍ତି ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ। କେତେକ ରିପୋର୍ଟରେ ଏହାକୁ ପୁଟିନଙ୍କୁ ହତ୍ୟା ଷଡଯନ୍ତ୍ର କୁହାଯାଉଛି।

Share