ଆଜି ଯୁକ୍ତ ୨ କଳା ଓ ଧନ୍ଦାମୂଳକ ପରୀକ୍ଷାଫଳ

ଭୁବନେଶ୍ୱର,୮ା୬(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପରିଚାଳିତ ଯୁକ୍ତ୨ କଳା ଓ ଧନ୍ଦାମୂଳକ ପରୀକ୍ଷାଫଳ ଗୁରୁବାର ପ୍ରକାଶ ପାଇବ। ଅପରାହ୍ନ ୪ଟାରେ ବିଧିବଦ୍ଧ ଭାବେ ଫଳ ଘୋଷଣା କରାଯିବ ବୋଲି ପରିଷଦ ଅଧ୍ୟକ୍ଷ ଅଶ୍ୱିନୀ ମିଶ୍ର ସୂଚନା ଦେଇଛନ୍ତି। ଏଥିସହ ପରିଷଦ ଓ୍ବେବ୍‌ସାଇଟ୍‌ରେ ମଧ୍ୟ ପରୀକ୍ଷାଫଳ ଉପଲବ୍ଧ ହେବ। https://chseodisha.nic.in/ରୁ ଛାତ୍ରୀଛାତ୍ର ସେମାନଙ୍କ ମାର୍କ ଜାଣିପାରିବେ। ସୂଚନାଥାଉ କି, ୨୦୨୨-୨୩ ଶିକ୍ଷାବର୍ଷର ଯୁକ୍ତ ୨ ପରୀକ୍ଷା ଗତ ମାର୍ଚ୍ଚ ୧ରୁ ଏପ୍ରିଲ ୫ ଯାଏ ଚାଲିଥିଲା। ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ପରୀକ୍ଷା ଦେବା ଲାଗି ୩ ଲକ୍ଷ ୫୭ହଜାର ୯୪୨ଜଣ ରେଗୁଲାର ଛାତ୍ରୀଛାତ୍ର ଫର୍ମ ପୂରଣ କରିଥିଲେ। କଳା ବିଭାଗରେ ସର୍ବାଧିକ ୨ ଲକ୍ଷ ୩୩ ହଜାର ୮୫୫ଜଣ ରହିଥିଲେ। ସେହିପରି ଧନ୍ଦାମୂଳକ ଶିକ୍ଷାରେ ୫,୮୬୨ଜଣ ଛାତ୍ରୀଛାତ୍ର ପରୀକ୍ଷା ପାଇଁ ନାମ ପଞ୍ଜୀକରଣ କରିଥିଲେ। ଚଳିତ ବର୍ଷ ୨ଟି ପର୍ଯ୍ୟାୟରେ ଯୁକ୍ତ ୨ ଖାତାଦେଖା ଆରମ୍ଭ ହୋଇଥିଲା। ଏପ୍ରିଲ ୧୦ରୁ ଆରମ୍ଭ ହୋଇ ମେ’ ୫ ତାରିଖ ଯାଏ ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ରେ ଖାତା ମୂଲ୍ୟାୟନ କରାଯାଇଥିଲା। ମେ ୩୧ରେ ପ୍ରଥମେ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ ପ୍ରକାଶ ପାଇଥିଲା।

Share