ଯୁକ୍ତ୨ ନାମଲେଖା ଆରମ୍ଭ

ଭୁବନେଶ୍ୱର, ୨୨।୯(ବ୍ୟୁରୋ): ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ସଂସ୍କୃତ ବିଭାଗରେ ନାମଲେଖା ସୋମବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କରେ ମନୋନୀତ ଛାତ୍ରୀଛାତ୍ରମାନେ ଦୁଇଟି ପର୍ଯ୍ୟାୟରେ ସକାଳ ୯ଟାରୁ ଅପରାହ୍ନ ୧ଟା ଓ ଅପରାହ୍ନ ୧ଟା ୩୦ରୁ ୫ଟା ପର୍ଯ୍ୟନ୍ତ ନାମଲେଖୁଛନ୍ତି। ଏହି ପର୍ଯ୍ୟାୟ ନାମଲେଖା ପାଇଁ ୩,୪୭,୬୨୬ ଛାତ୍ରୀଛାତ୍ରଙ୍କ ତାଲିକା ପ୍ରକାଶ ପାଇଥିଲା। କଳାରେ ୨,୨୩,୫୭୫ ଛାତ୍ରୀଛାତ୍ରଙ୍କୁ ଡକା ଯାଇଥିବାବେଳେ ବିଜ୍ଞାନରେ ୮୪,୭୮୯, ବାଣିଜ୍ୟରେ ୨୫,୦୬୨, ଧନ୍ଦାମୂଳକରେ ୫,୭୬୨ ଓ ସଂସ୍କୃତରେ ୮,୪୩୮ଜଣ ରହିଛନ୍ତି। ୨୬ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ନାମଲେଖା ଅନୁଷ୍ଠିତ ହେବ। ତେବେ ନାମଲେଖା ସମୟରେ କୋଭିଡ୍‌-୧୯ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି କରାଯାଇଥିବାବେଳେ କଲେଜ ପ୍ରବେଶ ପଥରେ ପାଣି, ହ୍ୟାଣ୍ଡ୍‌ୱାସ୍‌, ସାନିଟାଇଜର ଓ ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥା ରହିଛି। ମାସ୍କ ବ୍ୟବହାର ସହ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯାଉଥିଲେ ମଧ୍ୟ କେତେକ କଲେଜରେ ଏହାର ବ୍ୟତିକ୍ରମ ଘଟୁଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ରାଜ୍ୟର ୨,୦୨୮ କଲେଜର ୪,୫୩,୬୪୩ ସିଟ୍‌ ପାଇଁ ନାମ ଲେଖାହେଉଛି। ଅକ୍ଟୋବର ୩ରେ ଦ୍ୱିତୀୟ ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କ ପ୍ରକାଶ ପାଇବ ଓ ଏହି ପର୍ଯ୍ୟାୟରେ ୫ରୁ ୭ ତାରିଖ ପର୍ଯ୍ୟନ୍ତ ହେବ। ସ୍ପଟ୍‌ ନାମଲେଖା ପାଇଁ ୧୫ ତାରିଖରେ ମେଧା ତାଲିକା ପ୍ରକାଶ ପାଇବ ଓ ୧୬ରେ ନାମ ଲେଖାହେବ। ଅକ୍ଟୋବର ୧୭ ସୁଦ୍ଧା ଯୁକ୍ତ୨ ନାମଲେଖା ପ୍ରକ୍ରିୟା ଶେଷ ହେବ।

Share