ଯୁକ୍ତ୨ ପରୀକ୍ଷା ପଦ୍ଧତି ବଦଳିବ

ଭୁବନେଶ୍ୱର, ୧୪ା୮(ବ୍ୟୁରୋ): ମାଟ୍ରିକ ଭଳି ଯୁକ୍ତ୨ ପରୀକ୍ଷା ପଦ୍ଧତିରେ ବି ପରିବର୍ତ୍ତନ ଅଣାଯିବ। ବର୍ଷକୁ ଦୁଇଟି ବୋର୍ଡ ପରୀକ୍ଷା ହେବ। ଏଥିସହ ଇଣ୍ଟରନାଲ୍‌ ଆସେସମେଣ୍ଟ ହେବ। ସ୍ବଚ୍ଛତା ଲାଗି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପରୀକ୍ଷାକୁ ପୂରା ମନିଟର କରିବ। ପ୍ରଥମ ବର୍ଷ ପରୀକ୍ଷାର ରେକର୍ଡ ବି ରହିବ। ପ୍ରତି ପରୀକ୍ଷା ପରେ ପରିଷଦ ପୋର୍ଟାଲରେ ମାର୍କକୁ ଅପଲୋଡ୍‌ କରାଯିବ। କଲେଜ ପିଲାଙ୍କ ପରୀକ୍ଷା ପ୍ରଦର୍ଶନ ଡାଟାକୁ ରେକର୍ଡ କରି ରଖାଯିବ। ଚଳିତବର୍ଷ କରୋନା ପାଇଁ ଯୁକ୍ତ୨ ମୂଲ୍ୟାୟନ ଅଧିକ ପ୍ରଭାବିତ ହେବାପରେ ଗଣଶିକ୍ଷା ବିଭାଗ ଏଭଳି ପରିବର୍ତ୍ତନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ଖୁବଶୀଘ୍ର ଏହାର ରୂପରେଖ ପ୍ରସ୍ତୁତ କରି ସିଏଚ୍‌ଏସ୍‌ଇ ବିଜ୍ଞପ୍ତି ପ୍ରକାଶ କରିବ। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ବି ଏ ଦିଗରେ କାର୍ଯ୍ୟ ଆରମ୍ଭ କରିଛି। ଭବିଷ୍ୟତରେ ମହାମାରୀ ଯୋଗୁ ପରୀକ୍ଷା ବାତିଲ ହେଲେ ବି କଲେଜ ଏବଂ ପରିଷଦ ପାଖରେ ପିଲାଙ୍କ ପ୍ରଦର୍ଶନର ତଥ୍ୟ ରହିବ ଆଉ ସିବିଏସ୍‌ଇ ଭଳି ପିଲାଙ୍କୁ ଆସେସ୍‌ କରିବା ବି ସହଜ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, ଚଳିତବର୍ଷ କରୋନା ଯୋଗୁ ଯୁକ୍ତ୨ ପରୀକ୍ଷା ବାତିଲ କରାଯାଇ ବିକଳ୍ପ ପଦ୍ଧତିରେ ମୂଲ୍ୟାୟନ ହୋଇଛି। ତେବେ ଯୁକ୍ତ୨ରେ ଦ୍ୱିତୀୟ ବର୍ଷ କେବଳ ବୋର୍ଡ ପରୀକ୍ଷା ଛଡ଼ା ପ୍ରଥମ ବର୍ଷ କୌଣସି ପରୀକ୍ଷା ହେଉ ନ ଥିଲା। ଇଣ୍ଟରନାଲ୍‌ ପରୀକ୍ଷା ବି ଦୁଇ ବର୍ଷ ଭିତରେ ହୁଏନାହିଁ। ତେବେ ଗତବର୍ଷ ଯୁକ୍ତ୨ ପ୍ରଥମ ବର୍ଷ ପରୀକ୍ଷା ବାଧ୍ୟତାମୂଳକ କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ। କିନ୍ତୁ ଛାତ୍ର ଆନ୍ଦୋଳନ ଦେଖାଦେବାରୁ ପରିଷଦ ଏହି ନିଷ୍ପତ୍ତିରୁ ଓହରି ଯାଇଥିଲା। ଫଳରେ ଏବର୍ଷ ଛାତ୍ରୀଛାତ୍ର ଅସୁବିଧାର ସମ୍ମୁଖୀନ ହେଲେ। ମାଟ୍ରିକ ପରୀକ୍ଷା ଆଧାରରେ ଯୁକ୍ତ୨ର ମୂଲ୍ୟାୟନ ହୋଇଥିବାରୁ ସ୍ବଚ୍ଛତାକୁ ନେଇ ମଧ୍ୟ ଅଭିଯୋଗ ଉଠିଥିଲା। ତେଣୁ ଛାତ୍ରୀଛାତ୍ରଙ୍କ ଦକ୍ଷତା ଓ ଭବିଷ୍ୟତକୁ ଦୃଷ୍ଟିରେ ରଖି ବିଭାଗ ଏବେ ଏହି ପରୀକ୍ଷା ସଂସ୍କାର ଆଣୁଥିବା ଜଣାପଡିଛି।

Share