ପ୍ରକାଶ ପାଇଲା ଯୁକ୍ତ ୨ ବିଜ୍ଞାନ ପରୀକ୍ଷାଫଳ: ପାସ୍‌ ହାର ୭୦.୨୧%

ଭୁବନେଶ୍ୱର,୧୨।୮(ବ୍ୟୁରୋ): ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପକ୍ଷରୁ ଯୁକ୍ତ ୨ ବିଜ୍ଞାନ ପରୀକ୍ଷାଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ୭୦.୨୧% ଛାତ୍ରୀଛାତ୍ର ପାସ୍‌ କରିଥିବା ନେଇ ବୁଧବାର ଅପରାହ୍ନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

ତେବେ ରାଜ୍ୟରେ ପ୍ରାୟ ୩ ଲକ୍ଷ ଛାତ୍ରୀଛାତ୍ର ଯୁକ୍ତ ୨ ପରୀକ୍ଷା ଦେଇଥିବା ବେଳେ ମୋଟ ୯୭,୩୭୭ଜଣ ପିଲା ବିଜ୍ଞାନ ପରୀକ୍ଷା ଦେଇଥିଲେ। ସେଥିରୁ ୬୮,୩୭୪ଜଣ କୃତକାର୍ଯ୍ୟ ହୋଇଛନ୍ତି। ଚଳିତ ବର୍ଷ ଛାତ୍ରଙ୍କ ପାସ୍‌ ହାର ୩୯% ଥିବା ବେଳେ ଛାତ୍ରୀଙ୍କ ପାସ୍‌ ହାର ୩୧% ରହିଛି। ୩୮,୩୦୧ଜଣ ଛାତ୍ର କୃତକାର୍ଯ୍ୟ ହୋଇଛନ୍ତି। ସେହିଭଳି ୩୦,୦୭୩ଜଣ ଛାତ୍ରୀ ପାସ୍‌ ହୋଇଛନ୍ତି। ପ୍ରଥମ ଶ୍ରେଣୀରେ ୨୫,୩୩୯ଜଣ, ୨ୟରେ ୨୪,୧୨୧, ୩ୟରେ ୧୮,୨୬୮ ଅଛନ୍ତି। ୧୩୭ଜଣ ଛାତ୍ରୀଛାତ୍ର ୯୦% ଅଧିକ ନମ୍ବର ରଖି ପାସ୍‌ କରିଛନ୍ତି । ନୟାଗଡ଼ ଜିଲାରେ ପାସ୍‌ ହାର ସର୍ବାଧିକ ୮୬.୫୧% ରହିଛି। ଝାରସୁଗୁଡ଼ା ଜିଲାରେ ପାସ୍‌ ହାର ସର୍ବନିମ୍ନ ୪୦.୭୧% ରାହିଛି। ଏହାଛଡ଼ା ୨୦ଟି ଉଚ୍ଚ ମାଧ୍ୟମିକ ସ୍କୁଲରେ ଶତପ୍ରତିଶତ ପିଲା ପାସ୍‌ କରିଥିବା ବେଳେ ୧୫ଟି ସ୍କୁଲରେ ଜଣେ ହେଲେ ବି ପିଲା ପାସ୍‌ କରିନାହାନ୍ତି। ଶୂନ ରେଜଲ୍ଟ କରିଥିବା ସ୍କୁଲକୁ ବିଭାଗ ଅନୁଧ୍ୟାନ କରିବ ବୋଲି ମନ୍ତ୍ରୀ କହିଛନ୍ତି।

ପ୍ରକାଶ ଯେ, ଛାତ୍ରୀଛାତ୍ରମାନେ ନିଜର ମାର୍କକୁ www.orrisaresults.nic.in ଓ୍ବେବ୍‌ସାଇଟ୍‌ରୁ ପାଇପାରିବେ। ଚଳିତ ମାସ ତୃତୀୟ ସପ୍ତାହରେ ବାଣିଜ୍ୟ ଏବଂ ଶେଷ ସପ୍ତାହରେ କଳା ପରୀକ୍ଷାଫଳ ପ୍ରକାଶ ପାଇବ।

 

Share