କାଲି ସରିବ ଯୁକ୍ତ୨ ପରୀକ୍ଷା

ଭୁବନେଶ୍ୱର, ୧୯।୩(ଅସମାପିକା ସାହୁ)- ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ବୁଧବାର ଅର୍ଥାତ୍‌ ଆସନ୍ତାକାଲି ଶେଷ ହେବ। ଶେଷ ଦିନ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ପରୀକ୍ଷା ରହିଛି। ଚଳିତ ବର୍ଷ ଗୋଟିଏ ଦିନରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ରେଜଲ୍ଟ ପ୍ରକାଶ ପାଇବ। ଏ ନେଇ ସିଏଚ୍‌ଏସ୍‌ଇ ପକ୍ଷରୁ ସୂଚନା ଦିଆଯାଇଥିଲା। ନିର୍ବାଚନକୁ ଦୃଷ୍ଟିରେ ରଖି ମେ’ ୧୫ ତାରିଖ ଭିତରେ ରେଜଲ୍ଟ ବାହାର କରାଯିବାର ଯୋଜନା ରହିଛି। ପରୀକ୍ଷା ସରିବାର ଦୁଇଦିନ ପରେ ଅର୍ଥାତ୍‌ ମାର୍ଚ୍ଚ ୨୨ ତାରିଖରୁ ଖାତା ଦେଖା ଆରମ୍ଭ ହେବ। ଦୁଇଟି ପର୍ଯ୍ୟାୟରେ ଖାତାଦେଖା ହେବ। ମାର୍ଚ୍ଚ ୨୨ତାରିଖରୁ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ ହେବ। ସେହିପରି ଏପ୍ରିଲ ୪ରୁ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ମୂଲ୍ୟାୟନ ହେବ। ସବୁବର୍ଷ ପରି ଚଳିତବର୍ଷ ମଧ୍ୟ ଅନ୍‌ଲାଇନ ଓ ଅଫ୍‌ଲାଇନରେ ଖାତାଦେଖା ହେବ। କଳା, ବିଜ୍ଞାନ ଓ ବାଣିଜ୍ୟ ଅନ୍‌ଲାଇନରେ ଖାତାଦେଖା ହେବ। ଧନ୍ଦାମୂଳକ ଶିକ୍ଷାର ମୂଲ୍ୟାୟନ ଅଫ୍‌ଲାଇନରେ ହେବ। ଚଳିତ ବର୍ଷ ଖାତା ଦେଖାରେ ପ୍ରାୟ ୧୫ ହଜାର ଅଧ୍ୟାପିକା ଓ ଅଧ୍ୟାପକ ସାମିଲ ହେବେ।

Share