Categories: ବାଣିଜ୍ୟ

ପିଏନ୍‌ବି ପକ୍ଷରୁ ପିଏମ୍‌ ଇ-ବିଶ୍ୱକର୍ମା ପ୍ରୋଗ୍ରାମ

ଭୁବନେଶ୍ୱର,୨୧।୯: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ପ୍ରଧାନମନ୍ତ୍ରୀ ବା ପିଏମ୍‌ ଇ-ବିଶ୍ୱକର୍ମା ଯୋଜନା’ ନିକଟରେ ଶୁଭାରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପିଏନ୍‌ବି ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଏକ କ୍ରେଡିଟ୍‌ ଆଉଟ୍‌ରିଚ୍‌ ପ୍ରୋଗ୍ରାମ ଶୁକ୍ରବାର ଆଞ୍ଚଳିକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ ନିର୍ଦ୍ଦେଶକ ଡ. ସାରଦା ପ୍ରସନ୍ନ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେବା ସହ ପିଏନ୍‌ବିର ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ। ଏହି ପରିପ୍ରେକ୍ଷୀରେ ୨୧ ଜଣ ପିଏମ୍‌ ଇ-ବିଶ୍ୱକର୍ମା ଯୋଜନା ହିତାଧିକାରୀଙ୍କୁ ଋଣ ମଞ୍ଜୁରୀପତ୍ର ପ୍ରଦାନ କରାଯାଇଥିଲା। ସେହିଭଳି ଗ୍ରାହକମାନଙ୍କୁ ସମ୍ବୋଧନକରି ଡ. ମହାନ୍ତି ପିଏମ୍‌ ଇ-ବିଶ୍ୱକର୍ମା ଯୋଜନାର ବୈଶିଷ୍ଟ୍ୟ ଓ ସୁବିଧା ଆଦି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଏପରିକି ମଞୁରୀ ଋଣ ରାଶିକୁ ଠିକ୍‌ ଉପାୟରେ ବିନିଯୋଗ କରି ବ୍ୟବସାୟରେ ଅଭିବୃଦ୍ଧି ଆଣିବାକୁ ସେ ପରାମର୍ଶ ଦେଇଥିଲେ।
ସେହିପରି ପିଏମ୍‌ ବିଶ୍ୱକର୍ମା ଯୋଜନାକୁ ଅନ୍‌ଲାଇନ ମୋଡ୍‌ରେ ମଞ୍ଜୁର ଏବଂ ବିତରଣ ପାଇଁ ଏକ ପଦକ୍ଷେପ ନିଆଯାଇଛି, ଯାହାକୁ ଇ-ବିଶ୍ୱକର୍ମା ବୋଲି କୁହାଯାଉଛି। ଉଭୟ ଅନ୍‌ଲାଇନ ଓ ଅଫ୍‌ଲାଇନ ମାଧ୍ୟମରେ ମନୋନୀତ ହିତାଧିକାରୀଙ୍କୁ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ରାଶି ପ୍ରଦାନ (ଟ୍ରାନ୍ସଫର) କରାଯାଉଛି। ଉକ୍ତ କାର୍ଯ୍ୟକ୍ରମରେ ପିଏନ୍‌ବି ଭୁବନେଶ୍ୱର ଅଞ୍ଚଳର ଆଞ୍ଚଳିକ ପ୍ରବନ୍ଧକ ରାଜେଶ କୁମାର, ଉପ ଆଞ୍ଚଳିକ ପ୍ରବନ୍ଧକ କେ.ବି. ମିଶ୍ରଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

Share