ବଳାତ୍କାର ଅଭିଯୁକ୍ତଙ୍କୁ ସର୍ବସାଧାରଣରେ ଫାଶୀ ଦିଆଯାଉ: ଇମ୍ରାନ ଖାନ୍‌

ଇସଲାମାବାଦ,୧୫।୯: ପାକିସ୍ତାନରେ ଜଣେ ବିଦେଶୀ ମହିଳାଙ୍କୁ ବଳାତ୍କାର ଘଟଣାକୁ ନେଇ ବିରୋଧ ଲାଗିରହିଛି। ଏହି ଘଟଣାକୁ ନେଇ ଇମ୍ରାନ ସକରକାରଙ୍କୁ ସମାଲୋଚନା କରାଯାଇଛି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏକ ବଡ଼ ବିବୃତ୍ତି ଦେଇ କହିଛନ୍ତି ଏହି ଘଟଣାର ଅଭିଯୁକ୍ତଙ୍କୁ ସର୍ବସାଧାରଣରେ ଫାଶୀ ଦିଆଯାଉ କିମ୍ବା ଇଞ୍ଜେକ୍ସନ ମାଧ୍ୟମରେ ତାଙ୍କୁ ନପୁଂସକ କରିଦିଆଯାଉ। ଇମ୍ରାନ କହିଛନ୍ତି ଯେ, ବଳାତ୍କାର ଅଭିଯୁକ୍ତଙ୍କୁ ଏମିତି ଦଣ୍ଡିତ କରାଯାଉ ଯାହା ଅନ୍ୟମାନଙ୍କ ପାଇଁ ଏକ ଶିକ୍ଷା ହେବ। ସେମାନଙ୍କୁ ଖୁଣ୍ଟରେ ଟାଙ୍ଗି ଦିଆଯିବା ଉଚିତ୍‌ କିମ୍ବା ନପୁଂସକ କରିଦିଆଯିବା ଠିକ୍‌ ହେବ। ଯାହାଦ୍ୱାରା ସେମାନେ ଆଉ ଏପରି ଅପରାଧ କରିପାରିବେ ନାହିଁ। ସୂଚନାଯୋଗ୍ୟ, ପାକିସ୍ତାନରେ ଜଣେ ଫରାସୀ ମୂଳ ମହିଳାଙ୍କୁ ବଳାତ୍କାର କରାଯାଇଥିଲା। ରାସ୍ତାରେ ତିନି ପିଲାଙ୍କ ସାମ୍ନାରେ ମହିଳାଙ୍କ ସହ ଏଭଳି କ୍ରୁର କାର୍ଯ୍ୟ କରାଯାଇଥିଲା। ଯାହାକୁ ନେଇ ପାକିସ୍ତାନରେ ନିଆଁ ଜଳିଥିଲା। ଲାହୋର, କରାଚି, ଇସଲାମାବାଦ, ପେଶୱାର ଏବଂ ଅନ୍ୟାନ୍ୟ ସହରରେ ବିରୋଧ ପ୍ରଦର୍ଶନ କରାଯାଇଥିଲା। ଅପରାଧୀଙ୍କୁ ଦଣ୍ଡ ଦେବା ଏବଂ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଲୋକମାନେ ଇମ୍ରାନ ସରକାରଙ୍କୁ ଦାବି କରିଥିଲେ। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ୨୩ ବର୍ଷୀୟ ଶାଫକତ ଅଲିଙ୍କୁ ଗିରଫ କରାଯାଇଛି। ସେ ନିଜ ଅପରାଧ ସ୍ବୀକାର କରିଛନ୍ତି।

Share