Categories: ଜାତୀୟ

ମଣିପୁର ଜଳୁଥିବାବେଳେ ପ୍ରଧାନମନ୍ତ୍ରୀ ମଜାକ ଉଡ଼ାଉଛନ୍ତି: ରାହୁଲ

ନୂଆଦିଲ୍ଲୀ,୧୨ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଣିପୁରରେ ଜଳୁଥିବା ହିଂସାର ନିଆଁକୁ ଲିଭାଇାକୁ ଚାହୁଁନାହାନ୍ତି, ଯାହା ହେଉଛି ବାସ୍ତବ ସତ୍ୟ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଗଣମାଧ୍ୟମକୁ କହିଛନ୍ତି। ପ୍ରଧାନମନ୍ତ୍ରୀ ଗୁରୁବାର ପାର୍ଲାମେଣ୍ଟରେ କହୁଥିବାବେଳେ ମଜାକ ଉଡ଼ାଉଥିଲେ। ଏନ୍‌ଡିଏ ସଦସ୍ୟମାନେ ସ୍ଲୋଗାନ ଦେଉଥିବାବେଳେ ମୋଦି ହସୁଥିଲେ। ଏହା ଜଣେ ପ୍ରଧାନମନ୍ତ୍ରୀଙ୍କୁ ଶୋଭା ଦେଉନାହିଁ। ପ୍ରଧାନମନ୍ତ୍ରୀ ଅନ୍ତତଃ ମଣିପୁର ଯାଇ ସମ୍ପ୍ରଦାୟଗୁଡ଼ିକ ସହ ଆଲୋଚନା କରିପାରିଥାନ୍ତେ। ଗୃହରେ ମଣିପୁର ପ୍ରସଙ୍ଗରେ ନ କହି ମୋ ବିଷୟରେ ଓ କଂଗ୍ରେସ ଉପରେ କହିଥିଲେ ବୋଲି ରାହୁଲ କହିଛନ୍ତି।
କଂଗ୍ରେସ ନେତା ଆହୁରି କହିଛନ୍ତି, ସେ ୧୯ ବର୍ଷ ହେଲା ରାଜନୀତିରେ ଅଛନ୍ତି ଓ ସବୁ ରାଜ୍ୟକୁ ଯାଇଛନ୍ତି। ହେଲେ ମଣିପୁରରେ ସେ ଯାହା ଦେଖିଲେ, ତାହା ଅନ୍ୟ କୌଣସି ରାଜ୍ୟରେ ଦେଖିନାହାନ୍ତି। ଯେତେବେଳେ ସେ ମେଇତି ଅଞ୍ଚଳକୁ ଯାଇଥିଲେ, ତାଙ୍କୁ ସୁରକ୍ଷା ପାଇଁ ସାଙ୍ଗରେ କୌଣସି କୁକିଙ୍କୁ ନ ନେବା ପାଇଁ କୁହାଯାଇଥିଲା। ମେଇତି ଅଞ୍ଚଳକୁ କୌଣସି କୁକି ଗଲେ ତାଙ୍କୁ ସେଠାରେ ମାରିଦିଆଯିବ। କୁକି ଅଞ୍ଚଳରେ ମଧ୍ୟ ଅନୁରୂପ ସ୍ଥିତି। ମଣିପୁର କୁକି ଓ ମେଇତିକୁ ନେଇ ଦୁଇଭାଗ ହୋଇଯାଇଛି, ଯାହା ସେ ପାର୍ଲାମେଣ୍ଟକୁ ଜଣାଇଥିଲେ ବୋଲି ରାହୁଲ କହିଛନ୍ତି। ମଣିପୁରରେ ଭାରତ ମାତାଙ୍କୁ ହତ୍ୟା କରାଯାଉଥିବାବେଳେ ଲୋକ ସଭାରେ ପ୍ରଧାନମନ୍ତ୍ରୀ ହସୁଛନ୍ତି। ସେ ଚାହିଁଲେ ମଣିପୁର ସ୍ଥିତିକୁ ନିୟନ୍ତ୍ରଣ କରିପାରିବେ। କିନ୍ତୁ ସେ ତାହା ଚାହୁଁନାହାନ୍ତି। ଜଣେ ବ୍ୟକ୍ତି ପ୍ରଧାନମନ୍ତ୍ରୀ ହେବା ପରେ ସେ ସାଧାରଣ ରାଜନେତାଙ୍କ ଭଳି କହିବା ଉଚିତ ନୁହେଁ। ତାଙ୍କର ଦୁଇଘଣ୍ଟାର ଭାଷଣ ଶୁଣିବା କଂଗ୍ରେସ ଓ ବିରୋଧୀମାନଙ୍କ ପାଇଁ ଦୁର୍ବିସହ ଥିଲା। ଏହା ପ୍ରଧାନମନ୍ତ୍ରୀ ପଦବୀ ପାଇଁ ଯଥାର୍ଥ ନୁହେଁ। ପ୍ରଧାନମନ୍ତ୍ରୀଙ୍କ ହାତରେ କ୍ଷମତା ଥିଲେ ମଧ୍ୟ ସେ ତାହାର ଉପଯୋଗ କରୁନାହାନ୍ତି, ଯେଉଁଥିପାଇଁ ସେ ମଣିପୁର ଯିବାକୁ ଚାହୁଁ ନାହାନ୍ତି ବୋଲି ରାହୁଲ କହିଛନ୍ତି।

Share