Categories: ଜାତୀୟ

ଚାଷୀଙ୍କ ଆକାଉଣ୍ଟକୁ ଗଲା ୨୧ ହଜାର କୋଟି

ଶିମ୍‌ଲା, ୧ା୬: କେନ୍ଦ୍ରରେ ଏନ୍‌ଡିଏ ସରକାରକୁ ୮ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ହିମାଚଳ ପ୍ରଦେଶ ଗସ୍ତ କରି ‘ଗରିବ କଲ୍ୟାଣ ସମ୍ମେଳନ’ରେ ଯୋଗ ଦେଇଥିଲେ। ଶିମ୍‌ଲା ଐତିହାସିକ ରିଜ୍‌ ମଇଦାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୋଦି ପ୍ରଧାନମନ୍ତ୍ରୀ କିଷାନ୍‌ ସମ୍ମାନ ନିଧି (ପିଏମ୍‌-କିଷାନ୍‌) ଯୋଜନାରେ ଦେଶର ୧୦ କୋଟିରୁ ଉର୍ଦ୍ଧ୍ୱ ଚାଷୀଙ୍କ ଆକାଉଣ୍ଟକୁ ୨୧ ହଜାର କୋଟି ଟଙ୍କା ରିଲିଜ୍‌ କରିଛନ୍ତି। ଚାଷୀଙ୍କୁ ଆର୍ଥିକ ସହାୟତାର ଏହା ଏକାଦଶ କିସ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ବିଭିନ୍ନ କେନ୍ଦ୍ରୀୟ ଯୋଜନାର ହିତାଧିକାରୀଙ୍କ ସହ ଭର୍ଚୁଆଲ ମାଧ୍ୟମରେ କଥା ହୋଇଥିଲେ।
ଏକ ବିଶାଳ ରାଲିକୁ ସମ୍ବୋଧନ କରି ମୋଦି କହିଥିଲେ, ୨୦୧୪ ପୂର୍ବରୁ ଦୁର୍ନୀତି ସରକାରଙ୍କ ଅଭିନ୍ନ ଅଙ୍ଗ ଥିଲା। ଟଙ୍କା ହିତାଧିକାରୀଙ୍କ ନିକଟରେ ପହଞ୍ଚିବା ପୂର୍ବରୁ ତାହାକୁ ଲୁଟ୍‌ କରାଯାଉଥିଲା। କିନ୍ତୁ ତାଙ୍କ ସରକାରରେ ଦୁର୍ନୀତି ପାଇଁ କାହାରିକୁ ସୁଯୋଗ ଦିଆଯାଇନାହିଁ। ବିଭିନ୍ନ ଯୋଜନାରେ କେନ୍ଦ୍ର ସରକାର ୨୨ ଲକ୍ଷ କୋଟି ଟଙ୍କା ସିଧାସଳଖ ଭାବେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇଛନ୍ତି। ଏଥିସହ ପୂର୍ବାପେକ୍ଷା ଏବେ ଭାରତର ସୀମା ଅଧିକ ସୁରକ୍ଷିତ ହୋଇଥିବା ମୋଦି କହିଥିଲେ। ଏବେ ଭାରତ ଅଭାବ ପାଇଁ ନୁହେଁ ବରଂ ଆଧୁନିକତା ପାଇଁ ଜଣାଯିବ ବୋଲି ପ୍ରଧାନମନ୍ତ୍ରୀ ରାଲିରେ କହିଥିଲେ।

Share