ଖାତାକୁ ଆସିଲା ଟଙ୍କା

ଭୁବନେଶ୍ୱର,୬ା୧୦(ଅନିଲ ଦାସ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ମହାରାଷ୍ଟ୍ରର ୱାସିମ୍‌ଠାରେ ପିଏମ୍‌ କିଷାନ ସମ୍ମାନନିଧିର ୧୮ତମ କିସ୍ତି ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଦେଶର ୯ କୋଟି ୪୦ ଲକ୍ଷ କୃଷକଙ୍କୁ ୨୦ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ହସ୍ତାନ୍ତର କରାଯାଇଛି।

ଏହି ଅବସରରେ ଭୁବନେଶ୍ବରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ପିଏମ୍‌ କିଷାନର ୧୮ତମ କିସ୍ତି ପ୍ରଦାନ ଉତ୍ସବକୁ ସାରା ଦେଶ ପିଏମ୍‌ କିଷାନ ଉତ୍ସବ ଦିବସ ରୂପେ ପାଳନ କରୁଛି। ଏହି ଯୋଜନା ମାଧ୍ୟମରେ ବର୍ଷକୁ ୩ଟି କିସ୍ତିରେ ୬ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଉଛି। ଏଥିରେ ଓଡ଼ିଶାର ୩୧ ଲକ୍ଷ ୫୧ ହଜାର ୭୦୦ ଚାଷୀ ଉପକୃତ ହୋଇଛନ୍ତି। ପୂର୍ବରୁ ବରଗଡ଼ରୁ ଦିଆଯାଇଥିବା ୧୭ତମ କିସ୍ତିରେ ରାଜ୍ୟର ୨୯ଲକ୍ଷରୁ ଊଦ୍ଧର୍‌ବ ଚାଷୀ ଉପକୃତ ହୋଇଥିଲେ। ପିଏମ୍‌ କିଷାନ ଯୋଜନା ସହିତ ରାଜ୍ୟ ସରକାର ସିଏମ୍‌ କିଷାନ ଯୋଜନା ମଧ୍ୟ କାର୍ଯ୍ୟକାରୀ କରିଛନ୍ତି; ଯେଉଁଥିରେ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କୁ ଦୁଇଟି କିସ୍ତିରେ ୪ହଜାର ଟଙ୍କା ପ୍ରଦାନ କରାଯାଉଛି। ଏହି ଅର୍ଥ ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସମ୍ପୂର୍ଣ୍ଣ ସ୍ବଚ୍ଛତାର ସହ ସହାୟତା ରାଶି ହସ୍ତାନ୍ତର କରାଯାଉଛି। ପିଏମ୍‌ କିଷାନ ଯୋଜନାରେ ସମସ୍ତ ଯୋଗ୍ୟ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରାଯିବ। ଏଥିପାଇଁ ନୂଆଖାଇଠାରୁ ଏକ ୨ ମାସିଆ ସାଚୁରେସନ ଡ୍ରାଇଭ ପ୍ରୋଗ୍ରାମ ଆରମ୍ଭ କରାଯାଇଛି। ପ୍ରତି ବ୍ଲକ୍‌ ସ୍ତରରେ ଜନସେବା କେନ୍ଦ୍ର ସହାୟତାରେ ଚାଷୀମାନେ ସେମାନଙ୍କ ନାମ ପଞ୍ଜୀକରଣ ଓ ଅନ୍ୟାନ୍ୟ ଜରୁରୀ କାର୍ଯ୍ୟ ନିଃଶୁଳ୍କ କରିପାରିବେ। ରବି ଫସଲରେ ପିଏମ୍‌ କିଷାନ ସହାୟତାକୁ ଫଳପ୍ରଦ ଭାବେ ବ୍ୟବହାର କରିବାକୁ ମୁଖ୍ୟମନ୍ତ୍ରୀ କୃଷକମାନଙ୍କୁ ଅନୁରୋଧ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି, ପିଭିଟିଜି ବର୍ଗର କୃଷକ ଏବଂ ଜଙ୍ଗଲ ଅଧିକାର ଆଇନ ପଟ୍ଟାଥିବା ଜନଜାତିଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ପ୍ରସ୍ତୁତ ହେବାକୁ ଯାଉଛି। ସେମାନେ ମଧ୍ୟ ଏହି ଯୋଜନାର ଲାଭ ଓ ସୁବିଧା ପାଇବେ।