ଲୁଚାଛପାରେ ବିବାହ କଲେ ପ୍ରଧାନମନ୍ତ୍ରୀ: କେହି ବି ଜାଣି ପାରିଲେନି !…

ଲଣ୍ଡନ,୩୦।୫: କାହାକୁ ନ ଜଣାଇ ଲୁଚାଛପାରେ ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ ବିବାହ କରିଛନ୍ତି। ୫୬ ବର୍ଷ ବୟସ୍କ ବୋରିସ୍‌ ପ୍ରେମିକା ୩୩ ବର୍ଷ ବୟସ୍କା କେରି ସାଇମଣ୍ଡସ୍‌ଙ୍କୁ ଅତି ଗୁପ୍ତ ଭାବେ ବିବାହ କରିଥିବା ଖବର ପ୍ରଚାର ହେବାରେ ଲାଗିଛି। ବିବାହ ଲାଗି ଶେଷ ମୁହୂର୍ତ୍ତରେ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ବିବାହ ସମ୍ପର୍କରେ ଜାଣି ନ ଥିଲେ। ଇଂଲଣ୍ଡରେ ଥିବା ଓ୍ବେଷ୍ଟମିନଷ୍ଟର କ୍ୟାଥଲିକ୍‌ କ୍ୟାଥେଡ୍ରାଲ ଚର୍ଚ୍ଚକୁ ଶନିବାର ଅପରାହ୍ନ ୧ଟା ୩୦ରେ ହଠାତ୍‌ ବନ୍ଦ କରି ଦିଆଯାଇଥିଲା। ଏହାର ୩୦ ମିନିଟ୍‌ ପରେ ସାଇମଣ୍ଡସ୍‌ ସେଠାରେ ଧଳା ପୋଷାକରେ ପହଞ୍ଚିଥିଲେ। ସନ୍‌ ଏବଂ ମେଲ୍‌ ଖବର କାଗଜ ପକ୍ଷରୁ ପ୍ରଧାନମନ୍ତ୍ରୀ ଗୁପ୍ତରେ ବିବାହ କରିଥିବା ଦାବି କରାଯାଇଛି। ତେବେ ଏହି ଖବରକୁ ପ୍ରଧାନମନ୍ତ୍ରୀଙ୍କ ଡାଉନିଂ ଷ୍ଟ୍ରିଟ୍‌ କାର୍ଯ୍ୟାଳୟ ପକ୍ଷରୁ ଖଣ୍ଡନ କରାଯାଇଛି। ଏହା ବୋରିସ୍‌ଙ୍କ ତୃତୀୟ ବିବାହ। ପୂର୍ବରୁ ବୋରିସ୍‌ ୨ ଥର ବିବାହ କରିଛନ୍ତି। ତାଙ୍କ ପୂର୍ବ ଦୁଇ ସ୍ତ୍ରୀମାନଙ୍କର ୨ ଜଣ ଲେଖାଏଁ ସନ୍ତାନ ରହିଛନ୍ତି। ୨୦୧୮ ସେପ୍ଟେମ୍ବରରେ ବୋରିସ୍‌ ଦ୍ୱିତୀୟ ସ୍ତ୍ରୀ ମରିନା ହ୍ବିଲରଙ୍କୁ ଛାଡ଼ପତ୍ର ଦେଇଥିଲେ। ମରିନା ଜଣେ ଆଇନଜୀବୀ। ୨୦୧୯ରେ ବୋରିସ୍‌ ପ୍ରଧାନମନ୍ତ୍ରୀ ହେବାପରଠାରୁ ସାଇମଣ୍ଡସ୍‌ ତାଙ୍କ ସହିତ ଡାଉନିଂ ଷ୍ଟ୍ରିଟ୍‌ ସ୍ଥିତ ବାସଭବନରେ ଲିଭ୍‌ଇନ୍‌ରେ ରହିଆସୁଥିଲେ।

Share