Advertisement

୫ ବର୍ଷ ପରେ ମୋଦି-ଜିନ୍‌ପିଙ୍ଗ୍‌ଙ୍କ ମଧ୍ୟରେ ପ୍ରଥମ ଆଲୋଚନା

କାଜାନ,୨୩ା୧୦: ରୁଷିଆର କାଜାନ ସହରରେ ୧୬ତମ ବ୍ରିକ୍ସ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କ ମଧ୍ୟରେ ବୁଧବାର ଦ୍ୱିପାକ୍ଷିକ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ସୀମାରେ ଶାନ୍ତି, ପାରସ୍ପରିକ ବିଶ୍ୱାସ ଏବଂ ସମ୍ମାନକୁ ପ୍ରଥମିକତା ଦେବା ନିମନ୍ତେ ପ୍ରଧାନମନ୍ତ୍ରୀ ଚାଇନା ରାଷ୍ଟ୍ରପତିଙ୍କୁ କହିଛନ୍ତି। ପୂର୍ବ ଲଦାଖ ଅନ୍ତର୍ଗତ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ରେ ପାଟୋଲିଂ ପାଇଁ ଦୁଇ ଦେଶ ମଧ୍ୟରେ ବୁଝାମଣା ହୋଇଥିବାରୁ ଉଭୟ ନେତା ଏହାକୁ ପ୍ରଶଂସା କରିଥିଲେ।

ପାଖାପାଖି ୫ ବର୍ଷ ପରେ ମୋଦି ଏବଂ ଜିନ୍‌ପିଙ୍ଗ୍‌ଙ୍କ ମଧ୍ୟରେ ଏହା ପ୍ରଥମ ଗଠନମୂଳକ ଦ୍ୱିପାକ୍ଷିକ ଆଲୋଚନା। ପରିପକ୍ୱତା ଏବଂ ପାରସ୍ପରିକ ସମ୍ମାନ ପ୍ରଦର୍ଶନ ଦ୍ୱାରା ଦୁଇଦେଶ ମଧ୍ୟରେ ଶାନ୍ତିପୂର୍ଣ୍ଣ ଏବଂ ସ୍ଥିର ସମ୍ପର୍କ ରଖାଯାଇପାରିବା ନେଇ ଦୁଇ ନେତା ସହମତ ହୋଇଥିଲେ। ଶାନ୍ତି ଓ ସ୍ଥିରତାରେ ବ୍ୟାଘାତ ହେବାକୁ ନ ଦେଇ ମତଭେଦ ଏବଂ ବିବାଦର ଉପଯୁକ୍ତ ସମାଧାନ ଉପରେ ବୈଠକରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ଆମ ଦେଶ ସମେତ ଆଞ୍ଚଳିକ ଏବଂ ବିଶ୍ୱ ଶାନ୍ତି ଓ ସ୍ଥିରତା ପାଇଁ ଭାରତ-ଚାଇନା ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ ବୋଲି ମୋଦି କହିଥିଲେ।

ମୋଦିଙ୍କ ସହ ଆଲୋଚନା କରିବାରେ ଜିନ୍‌ପିଙ୍ଗ ଖୁସି ବ୍ୟକ୍ତ କରିଛନ୍ତି। ଏହି ବୈଠକରେ ଆମ ଦୁଇ ଦେଶର ଜନସାଧାରଣଙ୍କ ସମେତ ଅନ୍ତର୍ଜାତୀୟ ସମୁଦାୟର ନଜର ରହିଥିବା ସେ କହିଛନ୍ତି। ଚାଇନା ଏବଂ ଭାରତ ୨ ପୁରାତନ ସଭ୍ୟତା, ବୃହତ୍‌ ବିକାଶୀଳ ରାଷ୍ଟ୍ର ଏବଂ ଗ୍ଲୋବାଲ ସାଉଥ୍‌ର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ। ନିଜ ନିଜ ଦେଶର ଆଧୁନିକୀକରଣ ପ୍ରୟାସରେ ଆମେ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ପହଞ୍ଚତ୍ଛେ। ତେଣୁ ଦୁଇ ଦେଶ ମଧ୍ୟରେ ଅଧିକ ଯୋଗାଯୋଗ ଓ ସହଯୋଗ ରହିବା ଗୁରୁତ୍ୱପୂର୍ଣ୍ଣ ବୋଲି ଚାଇନା ରାଷ୍ଟ୍ରପତି କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share