Categories: ଜାତୀୟ

ଏପ୍ରିଲ ୨୧ରେ ରାଷ୍ଟ୍ରକୁ ସମ୍ବୋଧିତ କରିବେ ମୋଦି

ନୂଆଦିଲ୍ଲୀ,୧୮।୪: ଶିଖ୍‌ ଗୁରୁ ତେଗ ବାହାଦୂର ସାହିବଙ୍କ ୪୦୦ତମ ପ୍ରକାଶ ପର୍ବ ତଥା ଜନ୍ମ ବାର୍ଷିକୀ ଅବସରରେ ଏପ୍ରିଲ ୨୧ରେ ଲାଲ କିଲାରୁ ଦେଶକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନବମ ଶିଖ୍‌ ଗୁରୁ ଶ୍ରୀ ଗୁରୁ ତେଗ ବାହାଦୂର ସାହିବଙ୍କ ପ୍ରକାଶ ପର୍ବକୁୁ ଉତ୍ସର୍ଗୀକୃତ କରାଯାଇ ଲାଲ କିଲାରେ ୨ଦିନିଆ ସମାଗମ ଆୟୋଜିତ ହେବାକୁ ଯାଉଛି। ଏପ୍ରିଲ୨୦ ଓ ୨୧ରେ ଏକ ଭବ୍ୟ ସମାରୋହ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମକୁ କେନ୍ଦ୍ର ସରକାର ଆୟୋଜନ କରିବେ ଏବଂ ଦିଲ୍ଲୀ ଗୁରୁଦ୍ୱାରା କମିଟି ଏହାକୁ ସମ୍ପୂର୍ଣ୍ଣ ସହଯୋଗ କରିବ ବୋଲି ଜଣାପଡ଼ିଛି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ସମାପନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଏପ୍ରିଲ ୨୧ରେ ପ୍ରଧାନମନ୍ତ୍ରୀ ଏହି ସମାଗମର ସମାପନ ସମାରୋହରେ ଅଂଶଗ୍ରହଣ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଦେଶକୁ ସମ୍ବୋଧିତ କରିବେ। ତାଙ୍କର ସମ୍ବୋଧନ ପୁରା ଦେଶ ପାଇଁ ହେବ। ଏନେଇ ସୋମବାର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। କୁହାଯାଉଛି ସେହି ସମୟରେ ମୋଦି ଶିଖ୍‌ ସମ୍ପ୍ରଦାୟ ଲୋକଙ୍କୁ ପାଇଁ କିଛି ବିଶେଷ ବାର୍ତ୍ତା ଦେଇପାରନ୍ତି। ଏତଦ୍‌ ବ୍ୟତୀତ ମୋଦି ଏକ ସ୍ମାରକୀୟ ମୁଦ୍ରା ଓ ଡାକ ଷ୍ଟାମ୍ପ୍‌ ମଧ୍ୟ ଜାରି କରିବେ। ଅନ୍ୟପଟେ ଏହା ପ୍ରଥମ ଥର ଯେଉଁଠି ପ୍ରଧାନମନ୍ତ୍ରୀ ମୋଦି ଏକ ଧାର୍ମିକ କାର୍ଯ୍ୟକ୍ରମରେ ଲାଲ କିଲାରୁ ଦେଶକୁ ସମ୍ବୋଧିତ କରିବେ।

Share