ମୋଦିଙ୍କୁ ସାକ୍ଷାତ କରିବେ ଋଷିଆ ରାଷ୍ଟ୍ରପତି ପୁଟିନ

ମସ୍କୋ,୧୨।୧୦: ଚଳିତ ବର୍ଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ସମ୍ଭାବ୍ୟ ବୈଠକ ସମ୍ପର୍କରେ ଋଷିଆ ଏବଂ ଭାରତ ମଧ୍ୟରେ ଆଲୋଚନା ଚାଲିଛି। ମସ୍କୋରେ ଭାରତର ରାଷ୍ଟ୍ରଦୂତ ପୱନ କପୁରଙ୍କ ଅନୁଯାୟୀ, ଏପ୍ରସଙ୍ଗରେ ଉଚ୍ଚ ସ୍ତରୀୟ ଆଲୋଚନା ଚାଲିଛି। ଋଷିଆର ନ୍ୟୁଜ ଏଜେନ୍ସି ଆରଆଇ ଏହି ସୂଚନା ଦେଇଛି। ପୁଟିନ ଏବଂ ମୋଦିଙ୍କ ମଧ୍ୟରେ ହୋଇଥିବା ବୈଠକର ଖବର ଏପରି ସମୟରେ ଆସୁଛି ଯେତେବେଳେ ଋଷିଆର ରାଷ୍ଟ୍ରପତି ବେଲ୍ଟ ଆଣ୍ଡ ରୋଡ ଇନିସିଏଟିଭ (ବିଆରଆଇ) ସମ୍ମିଳନୀରେ ଭାଗ ନେବାକୁ ଚାଇନା ଗସ୍ତରେ ଅଛନ୍ତି।

ମୋଦି ଏବଂ ପୁଟିନଙ୍କ ଶେଷ ବୈଠକ ସେପ୍ଟେମ୍ବର ୨୦୨୨ରେ ସାଂଘାଇ ସମ୍ମିଳନୀ (SCO) ସମୟରେ ହୋଇଥିଲା। ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଅନୁଷ୍ଠିତ ବ୍ରିକ୍ସ ସମ୍ମିଳନୀ ପରେ ଋଷିଆର ରାଷ୍ଟ୍ରପତି ପୁଟିନ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଟେଲିଫୋନ ଯୋଗେ ବାର୍ତ୍ତାଳାପ କରିଥିଲେ। ଜି -20 ସମ୍ମିଳନୀ ପାଇଁ ପୁଟିନ ଭାରତ ଆସିବାକୁ ଯାଉଥିଲେ କିନ୍ତୁ ଶେଷ ମୁହୂର୍ତ୍ତରେ ସେ ତାଙ୍କର ଗସ୍ତକୁ ବାତିଲ କରିଥିଲେ। ପୁଟିନ ଏହି ସମ୍ମିଳନୀରେ ଯୋଗଦେବାକୁ ଅକ୍ଷମତା ଜଣାଇଥିଲେ। ଭାରତର ଜି ୨୦ ଅଧ୍ୟକ୍ଷତାରେ ସମସ୍ତ ପଦକ୍ଷେପ ପାଇଁ ଋଷିଆର ନିରନ୍ତର ସମର୍ଥନ ପାଇଁ ମୋଦି ରାଷ୍ଟ୍ରପତି ପୁଟିନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Share