Categories: ଜାତୀୟ

ଅଳିଆ ଗାଡିରୁ ମିଳିଲା ମୋଦି-ଯୋଗୀଙ୍କ ଫଟୋ: ସଫେଇ କର୍ମଚାରୀ ବହିଷ୍କୃତ

ମଥୁରା,୧୮।୭: ଉତ୍ତରପ୍ରଦେଶ ମଥୁରାର ଜଣେ ସଫେଇ କର୍ମଚାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଫଟୋ ଅଳିଆ ଗାଡିରେ ନେବା ମହଙ୍ଗା ପଡିଛି। ଶେଷରେ ତାଙ୍କ ଚାକିରି ଯାଇଛି।
ମଥୁରା ମ୍ୟୁନିସିପାଲିଟି କର୍ପୋରେଶନର ଜଣେ ଚୁକ୍ତିଭିତ୍ତିକ କର୍ମଚାରୀ ଠେଲା ଅଳିଆ ଗାଡିରେ କିଛି ଜିନିଷ ନେଇ ଯାଉଥିଲେ। ଏହି ସମୟରେ ସ୍ଥାନୀୟ କିଛି ଲୋକ ତାଙ୍କୁ ଅଟକାଇଥିଲେ। ଅଳିଆରେ ଯୋଗୀ ଓ ମୋଦିଙ୍କ ଫଟୋ ଥିବା ଦେଖି ସେମାନେ କର୍ମଚାରୀଙ୍କୁ ତାଗିଦା କରିଥିଲେ। ଏହାର ଜବାବରେ କର୍ମଚାରୀ ଜଣଙ୍କ କହିଥିଲେ, ଏହି ଘଟଣା ସହ ମୋର କିଛି ବି ମନ୍ଦ ଉଦ୍ଦେଶ୍ୟ ନାହିଁ। ଏହି ଫଟୋଗୁଡିକ ଅଳିଆ ହୋଇ ପଡିଥିବାରୁ ମୁଁ ଅନ୍ୟ ଅଳିଆ ପରି ଫଟୋଗୁଡିକ ମଧ୍ୟ ଗାଡିରେ ଭର୍ତ୍ତି କରି ନେଉଥିଲି।
ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଜୁଲାଇ ୧୭ରେ ଭିଡିଓ ଭାଇରାଲ ପରେ ମଥୁରା ମ୍ୟୁନିସିପାଲ କର୍ପୋରେଶନରେ କାମ କରୁଥିବା ଉକ୍ତ ସଫେଇ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ମଥୁରା-ବୃନ୍ଦାବନର ନଗର ନିଗମର ଅତିରିକ୍ତ ପୌରପାଳିକା କମିଶନର ସତ୍ୟେନ୍ଦ୍ର କୁମାର ତିୱାରୀ କହିଛନ୍ତି, ସଫେଇ କର୍ମଚାରୀ ଜଣଙ୍କ ଅଜାଣତରେ ଫଟୋଗୁଡିକ ଅଳିଆ ଗାଡିରେ ରଖିଥିଲେ। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତେବେ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପରେ ସୋସିଆଲ ମିଡିଆରେ ଏହାକୁ ନିନ୍ଦା କରାଯାଉଛି। ଜଣେ ନିରୀହ ସାଧାରଣ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରିବା ଆଦୌ ଠିକ୍‌ ନୁହେଁ, ସେ ତାଙ୍କ କାର୍ଯ୍ୟ କରିଛନ୍ତି ବୋଲି ୟୁଜର୍ସ ମତ ଦେଇଛନ୍ତି।

Share