ମୋଦିଙ୍କ ସହିତ ଫୋନରେ କଥା ହେଲେ ବାଇଡେନ, କହିଲେ ବଡ଼ କଥା

ନୂଆଦିଲ୍ଲୀ,୨୬ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଫୋନ୍ ଯୋଗେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହିତ କଥା ହୋଇଛନ୍ତି। ବାଇଡେନ ତାଙ୍କ ପକ୍ଷରୁ ଫୋନ୍ କରି ପ୍ରଧାନମନ୍ତ୍ରୀଙ୍କ ସଦ୍ୟ ସମାପ୍ତ ୟୁକ୍ରେନ ଗସ୍ତ ଏବଂ ବାଂଲାଦେଶ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।

ୟୁକ୍ରେନ ପ୍ରସଙ୍ଗରେ ଆଲୋଚନା ସମୟରେ ମୋଦି ଭାରତର ସମାନ ଦାବିକୁ ଦୋହରାଇ ଆଲୋଚନା ଓ କୂଟନୀତି ମାଧ୍ୟମରେ ଶାନ୍ତି ପ୍ରତିଷ୍ଠା କରିବାକୁ କହିଥିଲେ। ମୋଦି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଯିଏ ୟୁକ୍ରେନ ଗସ୍ତରେ ଯାଇଥିଲେ। ସେଠାରେ ସେ ଦୁଇବର୍ଷ ହେଲା ଲାଗି ରହିଥିବା ଯୁଦ୍ଧକୁ କୂଟନୀତି ମାଧ୍ୟମରେ ଶେଷ କରିବାକୁ ଅପିଲ କରିଥିଲେ।

ସେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ କହିଥିଲେ ଯେ ଆମେ ପ୍ରଥମ ଦିନରୁ ନିରପେକ୍ଷ ନଥିଲୁ, ଆମେ ପକ୍ଷ ରଖିଛୁ ଏବଂ ଶାନ୍ତି ପାଇଁ ଦୃଢ଼ତାର ସହିତ ଠିଆ ହୋଇଛୁ।

ବାଂଲାଦେଶର ପରିସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଏବଂ ବାଇଡେନ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି। ସେମାନେ ଆଇନ ଶୃଙ୍ଖଳାକୁ ପୁନଃସ୍ଥାପନ କରିବା ଏବଂ ବାଂଲାଦେଶରେ ସଂଖ୍ୟାଲଘୁ ସମ୍ପ୍ରଦାୟର ବିଶେଷ କରି ହିନ୍ଦୁମାନଙ୍କ ସୁରକ୍ଷା ତଥା ନିରାପତ୍ତାକୁ ଗୁରୁତ୍ୱ ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ।

ଶେଖ ହସିନାଙ୍କ ଇସ୍ତଫା ପରେ ତୁରନ୍ତ ବାଂଲାଦେଶର ହିନ୍ଦୁ ସଂଖ୍ୟାଲଘୁଙ୍କ ଉପରେ ହୋଇଥିବା ଆକ୍ରମଣ ଖବର ଉପରେ ଭାରତ ସରକାର ଚେତାବନୀ ଦେଇଛନ୍ତି। ତେବେ ବାଂଲାଦେଶର ନୂତନ ମଧ୍ୟବର୍ତ୍ତୀକାଳୀନ ସରକାର ଏହା କହିଛନ୍ତି ଯେ ଆଇନ ଶୃଙ୍ଖଳାକୁ ପୁନଃସ୍ଥାପିତ କରିବା ଏବଂ ସମସ୍ତ ସଂଖ୍ୟାଲଘୁ ସମ୍ପ୍ରଦାୟର ସୁରକ୍ଷା ପାଇଁ ଏହା ପ୍ରତିଶ୍ରୁତିବଦ୍ଧ।

ପ୍ରଧାନମନ୍ତ୍ରୀ ମୋଦି ଏବଂ ଜୋ ବଆଡେନ ମଧ୍ୟ ଦ୍ୱିପାକ୍ଷିକ ସଂପର୍କରେ ଉଲ୍ଲେଖନୀୟ ଅଗ୍ରଗତିର ସମୀକ୍ଷା କରିଥିଲେ ଏବଂ ଆଲୋକପାତ କରିଥିଲେ ଯେ ଭାରତ-ଆମେରିକା ସହଭାଗୀତା ଉଭୟ ଦେଶର ଲୋକ ଏବଂ ସମଗ୍ର ମାନବିକତାକୁ ଉପକୃତ କରିବା ପାଇଁ ଉଦ୍ଦିଷ୍ଟ।

Share