ନୂଆଦିଲ୍ଲୀ,୧୯।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ହୋଇଥିବା କ୍ୟାବିନେଟ ବୈଠକରେ ଚଳଚ୍ଚିତ୍ର ଜଗତକୁ ନେଇ ଏକ ବଡ ନିଷ୍ପତ୍ତି ନିଆଯାଇଛି। ଚଳଚ୍ଚିତ୍ରରେ ହେଉଥିବା କପି ବନ୍ଦ କରିବାକୁ ଆସନ୍ତା ସଂସଦ ଅଧିବେଶନରେ ସିନେମାଟୋଗ୍ରାଫି ବିଲ ୨୦୨୩ ଅଣାଯିବ ବୋଲି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏବଂ ଜିତେନ୍ଦ୍ର ସିଂ ସୂଚନା ଦେଇଛନ୍ତି।
କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, ଫିଲ୍ମ ଇଣ୍ଡଷ୍ଟ୍ରି, କଳାକାର ଏବଂ ପ୍ରଶଂସକଙ୍କ ସହ ଜଡିତ ନିଷ୍ପତ୍ତି ନିଆଯାଇଛି। ଦୀର୍ଘ ଦିନ ଧରି କପି ବନ୍ଦ କରିବାକୁ ଦାବି ହୋଉଥିଲା। ତେବେ ବୁଧବାର ଏ ସମ୍ପର୍କରେ କ୍ୟାବିନେଟ ଅନୁମତି ଦେଇଛି।
ଏହା ସହିତ ଠାକୁର ଏହା ମଧ୍ୟ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ନ୍ୟାଶନାଲ କ୍ୱାଣ୍ଟମ ମିଶନ ପାଇଁ ଅନୁମୋଦନ ମଧ୍ୟ ଦିଆଯାଇଛି। ଏଥିପାଇଁ ୬,୦୦୩ କୋଟି ଟଙ୍କା ବଜେଟ ବ୍ୟବସ୍ଥା କରାଯାଇଛି। ସିନେମାଟୋଗ୍ରାଫ ଆକ୍ଟ ୨୦୨୩ ବିଷୟରେ ଭାଜପା ନେତା କହିଛନ୍ତ, ୨୦୧୯ରେ ଏ ବାବଦରେ ଏକ ବିଲ ଆଗତ କରାଯାଇଥିଲା ଏବଂ ଏହାକୁ ସଂସଦର ସ୍ଥାୟୀ କମିଟି ନିକଟକୁ ପଠାଯାଇଥିଲା।