୧୦୦ ଦିନପରେ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଥିବା କଂଗ୍ରେସ ନେତାଙ୍କୁ ଫୋନ କଲେ ମୋଦି

ନୂଆଦିଲ୍ଲୀ, ୧।୧୦: ଜୁନ୍‌ ମାସରୁ କରୋନା ଭାଇରସ୍‌ ଦ୍ୱାରା ଆକ୍ରାନ୍ତ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭରତ ସିଂ ସୋଲାଙ୍କି ୧୦୧ ଦିନ ପରେ ଗୁରୁବାର ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି। ଡିସ୍‌ଚାର୍ଜ ହେବା ପରେ ୬୬ ବର୍ଷୀୟ ସୋଲାଙ୍କିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନ୍‌ କରି ତାଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ। ମୋଦି ଟୁଇଟ୍‌ କରି ଉଲ୍ଲେଖ କରିଛନ୍ତି ଯେ, ‘ସେ ସୋଲାଙ୍କିଙ୍କ ସହ କଥା ହୋଇ ତାଙ୍କ ଅବସ୍ଥା ପଚାରିଛନ୍ତି। କୋଭିଡ୍‌-୧୯ ବିରୋଧରେ ୧୦୦ ଦିନିଆ ଯୁଦ୍ଧରେ ସେ ଉଲ୍ଲେଖନୀୟ ସାହସ ପ୍ରଦର୍ଶନ କରିଛନ୍ତି। ଆଗାମୀ ଦିନରେ ତାଙ୍କର ଉତ୍ତମ ସ୍ବାସ୍ଥ୍ୟ ଲାଗି କାମନା କରୁଛି।’

ଗୁଜରାଟ ଆନନ୍ଦ ଜିଲା ବୋରସାଡର ବାସିନ୍ଦା ସୋଲାଙ୍କିଙ୍କୁ ୨୨ ଜୁନ୍‌ ପୂର୍ବରୁ ଭଦୋଦରାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ଅବସ୍ଥା ଖରାପ ହେବାକୁ ତାଙ୍କୁ ଅହମ୍ମଦାବାଦର ସିଏମ୍‌ଏସ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ହସ୍ପିଟାଲରୁ ଡିସ୍‌ଚାର୍ଜ ହେବାପରେ ସୋଲାଙ୍କି କହିଛନ୍ତି, ସେ ଦୃଢ଼ ଆତ୍ମବିଶ୍ୱାସୀ ଥିଲେ ତାଙ୍କ ସହିତ କିଛି ହେବ ନାହିଁ। ଏହି ଅବସରରେ ସେ ହସ୍ପିଟାଲ କର୍ମଚାରୀଙ୍କୁ ପ୍ରଶଂସା କରିଛନ୍ତି। ଭଲ ଚିକିତ୍ସା ଯୋଗାଇ ତାଙ୍କ ଜୀବନ ରକ୍ଷା କରିଥିବାରୁ ସୋଲାଙ୍କି ହସ୍ପିଟାଲ କର୍ମଚାରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।

Share