Categories: ଜାତୀୟ

କାଶୀରେ ମୋଦିଙ୍କ ପାଠଶାଳା: ୧୨ ମୁଖ୍ୟମନ୍ତ୍ରୀ ଦେବେ ରିପୋର୍ଟ କାର୍ଡ

ବାରାଣସୀ,୧୪ ।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାରାଣସୀ ଗସ୍ତର ଦ୍ୱିତୀୟ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକର ଆୟୋଜନ କରାଯାଇଛି । ମଙ୍ଗଳବାର ମୋଦି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଭାରତୀୟ ଜନତା ପାର୍ଟି(ଭାଜପା) ଶାସିତ ୧୨ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ । ଏମାନେ ସମସ୍ତ ନିଜ କାର୍ଯ୍ୟର ରିପୋର୍ଟ କାର୍ଡ ପ୍ରଧାନମନ୍ତ୍ରୀଙ୍କୁ ଦେବେ ବୋଲି ଜଣାପଡିଛି । ସୋମବାର ରାତିରେ ବି ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦିଙ୍କର ବୈଠକ ହୋଇଥିଲା । କ୍ରୁଜରେ ବି ମୁଖ୍ୟନ୍ତ୍ରୀମାନଙ୍କ ସହ ବିଭିନ୍ନ ବିଷୟ ଉପରେ ଚର୍ଚ୍ଚା କରାଯାଇଥିଲା । ଏହି ବୈଠକରେ ଉତ୍ତର ପ୍ରଦେଶ, ଆସାମ, ଅରୁଣାଚଳ ପ୍ରଦେଶ, ଗୋଅ. ଗୁଜରାଟ, ହରିୟାଣା, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ, କର୍ନାଟକ, ମଣିପୁର ଓ ତ୍ରିପୁରାର ମୁଖ୍ୟମନ୍ତ୍ରୀମାନେ ଯୋଗ ଦେବେ ।
ଏହାସହ ବିହାର ଓ ନାଗାଲାଣ୍ଡର ଉପମୁଖ୍ୟମନ୍ତ୍ରୀମାନେ ବି ଏହି ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ବୈଠକ ସକାଳ ୯ଟାରୁ ଆରମ୍ଭ ହୋଇ ଦିନ ୩ଟା ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି । ମଧ୍ୟାହ୍ନ ଭୋଜନ ମୋଦି ମୁଖ୍ୟମନ୍ତ୍ରୀମାନଙ୍କ ସହ କରିବେ ।

Share