ନିର୍ବାଚନରେ ଲିକୁଡ ପାର୍ଟିର ବିପୁଳ ବିଜୟ, ନେତନ୍ୟାହୁ ପୁଣି ପ୍ରଧାନମନ୍ତ୍ରୀ, ମୋଦି ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଲୀ/ତେଲ ଆଭିବ,୪ ।୧୧: ଇସ୍ରାଏଲର ସାଧାରଣ ନିର୍ବାଚନରେ ରାଜନୈତିକ ଦଳ ‘ଲିକୁଡ’କୁ ବିପୁଳ ବିଜୟ ମିଳିଛି । ଏହାସହ ବେନଜାମିନ ନେତନ୍ୟାହୁ ପୁଣିଥରେ ଇସ୍ରାଏଲର ଶାସନ ଭାର ସମ୍ଭାଳିବାକୁ ଯାଉଛନ୍ତି । ନେତନ୍ୟାହୁ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ୟାର ଲାପିଡଙ୍କ ଦଳକୁ ନିର୍ବାଚନରେ ହରାଇ ଦେଇଛନ୍ତି । ଲାପିଡ ପରାଜୟ ସ୍ୱୀକାର କରିବା ସହ ବିଜୟ ପାଇଁ ନେତନ୍ୟାହୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ସାଧାରଣ ନିର୍ବାଚନ ୧୨୦ ସଦସ୍ୟ ବିଶିଷ୍ଟ ଇସ୍ରାଏଲ ସଂସଦରେ ନେତନ୍ୟାହୁଙ୍କ ଦଳ ବିଜୟ ହାଲ କରିଛି । ପ୍ରାୟ ୯୦ ପ୍ରତିଶତ ଭୋଟ ଗଣନା ପରେ ନେତନ୍ୟାହୁ ପ୍ରଧାନମନ୍ତ୍ରୀ ହେବା ଏକ ପ୍ରକାର ନିଶ୍ଚିତ ହୋଇଯାଇଥିଲା । ରାତିରେ ତାଙ୍କ ବିଜୟରେ ମୋହର ଲାଗିଥିଲା ।
ସକାଳେ ୮୮.୬ ପ୍ରତିଶତ ଭୋଟ ଗଣତି ପରେ ଲିକୁଡ ପାର୍ଟିକୁ ୩୨, ୟେଶ ଅତିଦକୁ ୨୪, ଆରଜେଡପିକୁ ୧୪, ନ୍ୟାଶନାଲ ୟୁନିଟି ପାର୍ଟିକୁ ୧୨, ଶାସକୁ ୧୧ ଆସନ ମିଳିଛି । ଭୋଟ ଗଣତି ପୂର୍ବରୁ ଏକଜିଟ ପୋଲ ଅନୁମାନ ଲଗାଇଥିଲା କି ନେତନ୍ୟାହୁଙ୍କ ଦଳ ଲିକୁଡର ମେଣ୍ଟକୁ ପ୍ରାୟ ୬୫ ଆସନ ମିଳିପାରେ ।
ନେତନ୍ୟାହୁଙ୍କ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ସେ ଭବିଷ୍ୟତରେ ଉଭୟ ଦେଶ ମଧ୍ୟରେ ରଣନୀତିକ ଭାଗିଦାରୀକୁ ଆହୁରି ଆଗକୁ ବଢାଇବାକୁ ଆଶା ରଖିଛନ୍ତି ।

Share