Categories: ଜାତୀୟ

ନୂଆ ମନ୍ତ୍ରୀଙ୍କ ପାଇଁ ‘ଲକ୍ଷ୍ମଣ ରେଖା’ ଟାଣିଲେ ମୋଦି

ନୂଆଦିଲ୍ଲୀ,୮ ।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟର ସମ୍ପ୍ରସାରଣ ବୁଧବାର ହୋଇଯାଇଛି । ଗୁରୁବାର ନୂଆ ବିଭାଗ ଦାୟିତ୍ୱ ନେଉଥିବା ମନ୍ତ୍ରୀଙ୍କ ପାଇଁ କିନ୍ତୁ ମୋଦି ଲକ୍ଷ୍ମଣ ରେଖା ଟାଣି ଦେଇଛନ୍ତି । ବୁଧବାର କ୍ୟାବିନେଟ ସମ୍ପ୍ରସାରଣ ପରେ ସମସ୍ତ ମନ୍ତ୍ରୀଙ୍କୁ ମୋଦି ନିଜ ବାସଭବନକୁ ଡାକିଥିଲେ । ତେବେ ଶପଥ ନେବା ପୂର୍ବରୁ ମୋଦି ଏମାନଙ୍କୁ ଇସାରା ଦେଇ ସାରିଛନ୍ତି କି ମୋଦିଙ୍କ ଟିମ୍‌ରେ ସାମିଲ ହୋଇଥିବା ମନ୍ତ୍ରୀଙ୍କଠାରୁ ସେ କ’ଣ ଆଶା କରନ୍ତି । କାରଣ ମୋଦି ଛୋଟ କର୍ମଚାରୀଙ୍କଠାରୁ ଆରମ୍ଭ କରି ଉପରିସ୍ଥଙ୍କ ପର୍ଯ୍ୟନ୍ତ ସମସ୍ତଙ୍କଠାରୁ ଦାୟିତ୍ୱବୋଧ ଆଶା କରନ୍ତି । ଏବେ ଆଲୋଚନା ହେଉଛି କି ମୋଦି ତାଙ୍କ ମନ୍ତ୍ରୀପରିଷଦର ସଦସ୍ୟଙ୍କ ପାଇଁ ତିନି ତିନୋଟି ଲକ୍ଷ୍ମଣ ରେଖା ଟାଣି ଦେଇଛନ୍ତି । ପ୍ରଥମ ଲକ୍ଷ୍ମର ରେଖା ହେଲା ଭ୍ରଷ୍ଟାଚାରକୁ ବିରୋଧ କରିବା । ନା ଖାଇବେ ନା ଖାଇବାକୁ ଦେବେ । କାରଣ ଭ୍ରଷ୍ଟାଚାର ଯୋଗୁ ହିଁ ଉପା ସରକାର ଭାଙ୍ଗି ଯାଇଥିଲା । ତେଣୁ ମୋଦି ସବୁବେଳେ କୁହନ୍ତି ମୁଁ ଦେଶର ପ୍ରଧାନମନ୍ତ୍ରୀ ନୁହେଁ ବରଂ ପ୍ରଧାନସେବକ ଓ ମୁଁ ଚୌକିଦାର । ଦ୍ୱିତୀୟ ଲକ୍ଷ୍ମଣ ରେଖା ଟାଣିବାକୁ ଯାଇ ମୋଦି କହିଛନ୍ତି ଭାଜପା ପୂର୍ବର ସରକାର କେବଳ ଯୋଜନା କରି ଚାଲିଥିଲେ । ହେଲେ ମୋଦି ସରକାର ଯୋଜନା କରିବା ସହ କେବେ ଏହା ସଫଳ ହେବ ତାହାବି ନିର୍ଦ୍ଧାରିତ କରି ଦେଉଛନ୍ତି । ତେଣୁ ମୋଦି ସରକାର ଉପରକୁ ଯେମିିତି କେହି ଆଙ୍ଗୁଳି ନିର୍ଦ୍ଦେଶ ନ କରେ । ସେହିପରି ତୃତୀୟ ଲକ୍ଷ୍ମଣ ରେଖା ହେଉଛି, ମନ୍ତ୍ରୀ ହେବାର ଖୁସିକୁ ଉତ୍ସବ ମାଧ୍ୟମରେ ପାଳନ ନ କରାଯାଉ । କରୋନା ସମୟରେ ଏହାର ଗାଇଡ୍ ଲାଇନ୍ ମାନି ଚଳିବାକୁ ମୋଦି ପରାମର୍ଶ ଦେଇଛନ୍ତି । ସେହିପରି ଗଣମାଧ୍ୟମଠାରୁ ଯାଥା ସମ୍ଭବ ଦୂରେଇ ରହିବାକୁ ମୋଦି କହିଛନ୍ତି ।

Share