Categories: ଜାତୀୟ

କାନ୍ଦ ବୋବାଳିରେ ଫାଟୁଛି ଡାକ୍ତରଖାନା ପରିସର; ହାଥରସ୍‌ ଅଘଟଣରେ ମୃତ୍ୟୁ ସଂଖ୍ୟା ୧୦୦ ଟପିଲା…

ହାଥରସ୍‌,୨।୭: ଉତ୍ତରପ୍ରଦେଶ ହାଥରସ୍‌ରେ ସତସଙ୍ଗ ଚାଲିଥିବା ବେଳେ ଦଳାଚକଟା ଘଟଣାରେ ମୃତ୍ୟୁ ସଂଖ୍ୟା ୧୦୦କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ଅନେକ ମହିଳା ଏବଂ ଶିଶୁ ସାମିଲ ଅଛନ୍ତି। ସେହିଭଳି ଆହତମାନଙ୍କ ଚିକିତ୍ସା ଜାରି ରହିଛି। ସେମାନଙ୍କ ମଧ୍ୟରୁ ଅନେକେ ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ଅଧିକ ହୋଇପାରେ ବୋଲି କୁହାଯାଉଛି। ମୃତକଙ୍କ ପରିଚୟ ଖୋଜାଚାଲିଛି। ଡାକ୍ତରଖାନା ବାହାରେ ଶବମାନଙ୍କ ପଡ଼ି ରହିଥିବାରୁ ଘଟଣାର ଭୟାବହତା ଅଧିକ ଥିବା ସ୍ପଷ୍ଟ ହୋଇଛି। ଏହି ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନ୍ୟ ନେତାମାନେ ଶୋକପ୍ରକାଶ କରିଛନ୍ତି।
ସତସଙ୍ଗଟି ସିକନ୍ଦରା ରାଉର ଫୁଲରାଇ ଗ୍ରାମରେ ଆୟୋଜିତ କରାଯାଇଥିଲା। ମଙ୍ଗଳବାର ‘ଭୋଲେ ବାବା’ଙ୍କ ସତସଙ୍ଗ ସକାଳ ୮ଟାରେ ଆରମ୍ଭ ହୋଇଥିଲା। ଏଥିରେ ଭାଗ ନେବା ଲାଗି ଭିନ୍ନ ଭିନ୍ନ ରାଜ୍ୟରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଅପରାହ୍ନ ୨ଟାରେ ସତସଙ୍ଗ ଶେଷ ହେବା ପରେ ଶ୍ରଦ୍ଧାଳୁମାନେ ଘରକୁ ଫେରିବା ଲାଗି ବ୍ୟତିବସ୍ତ ହୋଇଯାଇଥିଲେ। ଜଣେ ଅନ୍ୟଜଣଙ୍କୁ ଧକ୍କା ଦେଇଥିଲେ। ଏହାପରେ ସେଠାରେ ଦଳାଚକଟା ଆରମ୍ଭ ହୋଇଯାଇଥିଲା। ଲୋକେ ଚିତ୍କାର କରିଥିଲେ।
ଗ୍ରାମବାସୀଙ୍କ ମୁତାବକ, ସତସଙ୍ଗ ନେଇ ସ୍ଥାନୀୟ ପ୍ରଶାସନକୁ ସୂଚନା ମିଳିଥିଲା। କିଛି ପୋଲିସ କର୍ମୀ ପେଣ୍ଡାଲ ପାଖରେ ଉପସ୍ଥିତ ଥିଲେ। ହେଲେ ଭିଡ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ଆୟୋଜକମାନେ ଲୋକଙ୍କୁ ଶାନ୍ତି ବଜାୟ ରଖିବାକୁ ଅପିଲ କରିଥିଲେ। ହେଲେ କେହି କିଛି ଶୁଣିବାକୁ ପ୍ରସ୍ତୁତ ନ ଥିଲେ। କିଛି ଲୋକ ଅଘଟଣ ହେବା ବାରିଥିଲେ। ହେଲେ କିଛି ବୁଝା ପଡ଼ି ନ ଥିଲା। କେବଳ ଲୋକେ ସେଠାରୁ ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିବା ନଜର ଆସିଥିଲା।
ଅଘଟଣ ନେଇ ଜଣାପଡ଼ିବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କ ପ୍ରତି ସମବେଦନା ଜଣାଇବା ସହ ସହାୟତା ରାଶି ଘୋଷଣା କରିଛନ୍ତି। ଏପରିକି ଏହି ଦୁର୍ଘଟଣା ନେଇ ଯାଞ୍ଚ କରିବାକୁ କମିଟି ଗଠନ କରାଯାଇଛି। ଗୁରୁତରମାନଙ୍କୁ ଏଟା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି।
Share