Categories: ଜାତୀୟ

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି

ନୂଆଦିଲ୍ଲୀ,୪ ।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ପୁଣିଥରେ ତ୍ରୁଟି ପରିଲକ୍ଷିତ ହୋଇଛି । ଆନ୍ଧ୍ର ପ୍ରଦେଶ ଗସ୍ତ ସମୟରେ ବିଜୟୱାଡାରେ ଏହି ଘଟଣା ଘଟିଛି । ଏଠାରେ କଂଗ୍ରେସ କର୍ମୀମାନେ ମୋଦିଙ୍କ ହେଲିକପ୍ଟର ଉଡାଣ ଆରମ୍ଭ କରିବା ସମୟରେ କଳା ବେଲୁନ ଉଡାଇଥିଲେ । ଏସ୍‌ପି ସିଦ୍ଧାର୍ଥ କୌଶଲ କହିଛନ୍ତି, ଏହି ଘଟଣା ଗନ୍ନାବରମ ବିମାନ ବନ୍ଦରରେ ହୋଇଛି । ଏହି ଘଟଣାରେ ୩ କଂଗ୍ରେସ କର୍ମୀଙ୍କୁ ଅଟକ ରଖାଯାଇଛି ।

ଏହାର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । ଭିଡିଓରେ ସ୍ପଷ୍ଟ ନଜର ଆସୁଛି ଯେ କଂଗ୍ରେସକର୍ମୀଙ୍କ ଦ୍ୱାରା ଉଡାଯାଉଥିବା କଳା ବେଲୁନ ମୋଦିଙ୍କ ହେଲିକପ୍ଟର ନିକଟରେ ଉଡୁଛି । ଯାହାକୁ ମୋଦିଙ୍କ ସୁରକ୍ଷାରେ ତ୍ରୁଟି ବୋଲି କୁହାଯାଉଛି । ବେଲୁନ ଉଡାଇବା ସମୟରେ କଂଗ୍ରେସ କର୍ମୀ ‘ନରେନ୍ଦ୍ର ମୋଦି ଗୋ ବ୍ୟାକ’ ବୋଲି ସ୍ଲୋଗାନ ବି ଦେଉଥିଲେ । ସୂଚନାଯୋଗ୍ୟ, ଏହା ପୂର୍ବରୁ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ପିଏମ ପଞ୍ଜାବ ଗସ୍ତ କରିଥିବା ସମୟରେ ତାଙ୍କ ସୁରକ୍ଷାରେ ବଡ ଧରଣର ତ୍ରୁଟି ସାମ୍ନାକୁ ଆସିଥିଲା ।

Share